ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି : କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କଲେ ଅମିତ ଶାହା

ଗାନ୍ଧିନଗର : ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି । ବିଜେପି ପୁଣିଥରେ ଗୁଜୁରାଟରେ ବିଜୟୀ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।
ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସରକାରର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସଭାରେ ଶାହା କହିଛନ୍ତି ଯେ ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେ ନାହିଁ । କାରଣ ଗୁଜୁରାଟ ଲୋକ ସେମାନଙ୍କ ଉପରେ ବିଶ୍ବାସ କରନ୍ତି, ଯେଉଁମାନେ କାମ କରନ୍ତି । ଏହି କାରଣରୁ ଗୁଜୁରାଟରେ ଲୋକମାନେ ବିଜେପି ସହିତ ଅଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଦୁଇ ତୃତୀୟାଂଶ ଆସନରେ ବିଜୟ ହାସଲ କରି ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଜେପି ସରକାର ଅମଳରେ ଗୁଜୁରାଟରେ ବିକାଶ ହୋଇଛି । କଂଗ୍ରେସ ସରକାରଙ୍କ ଅମଳରେ ବୋମା ବିସ୍ଫୋରଣ, ସାଂପ୍ରଦାୟିକ ଦଙ୍ଗା ନିୟମିତ ଭାବେ ହେଉଥିଲା । ଏହି କାରଣରୁ ରାଜ୍ୟରେ ବିକାଶ ହୋଇପାରୁନଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜୁରାଟ ଗତ ୨୦ ବର୍ଷରେ ବିକାଶର ରେକର୍ଡ କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅମଳରେ ଏହି ବିକାଶ ଯାତ୍ରାରେ ଏକ ନୂଆ ଶକ୍ତି ସଂଚାରିତ ହୋଇଛି ବୋଲି ଅମିତ ଶାହା କହିଛନ୍ତି । ଗୁଜୁରାଟରେ ଆସନ୍ତା ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ହେବ ।

nis-ad
Leave A Reply

Your email address will not be published.