‘ମୋ ଶରୀରକୁ ଛୁଅଁ ନାହିଁ, ମୁଁ ପୁରୁଷ’

କୋଲକାତା: ବିଜେପି ପକ୍ଷରୁ ଆଜି କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ କରାଯାଇଥିଲା। ତେବେ ଏହି ବିକ୍ଷୋଭ ବେଳର ଏକ ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
ଟିଏମ୍‌ସି ପକ୍ଷରୁ ଟ୍ୱିଟ୍ କରାଯାଇଥିବା ଭିଡିଓରେ ଅଛନ୍ତି ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଏଥିରେ ସେ କହିଛନ୍ତି- ‘ମୋ ଶରୀରକୁ ଛୁଅଁ ନାହିଁ। ଆପଣ ଜଣେ ମହିଳା, ଆଉ ମୁଁ ଜଣେ ପୁରୁଷ।’
ଜଣେ ମହିଳା ପୁଲିସ୍ ଅଧିକାରୀ ତାଙ୍କୁ ପୁଲିସ୍ ଭ୍ୟାନ୍‌ରେ ବସାଇବାକୁ ପ୍ରୟାସ କରୁଥିବା ବେଳେ ଶ୍ରୀ ଅଧିକାରୀ ଏହି କଥା କହିଥିଲେ। ସେ କହିଥିଲେ, ମୁଁ ଆଇନକୁ ମାନେ। ଆପଣ ଜଣେ ପୁରୁଷ ପୁଲିସ୍ ଅଧିକାରୀଙ୍କୁ ଡାକନ୍ତୁ।
ଏହା ପରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସେଠାରେ ପହଞ୍ଚି ଶ୍ରୀ ଅଧିକାରୀଙ୍କୁ ପୁଲିସ୍ ଭ୍ୟାନ୍ ପର୍ଯ୍ୟନ୍ତ ନେଇଥିଲେ। ପରେ ଶ୍ରୀ ଅଧିକାରୀ କହିଥିଲେ ଯେ ତାଙ୍କୁ ଟଣାଓଟରା କରାଯାଇଥିଲା। ତଥାପି ସେ ପ୍ରତିଜବାବ ଦେଇ ନଥିଲେ। କାରଣ ସେ ମହିଳାମାନଙ୍କୁ ସମ୍ମାନ ଦିଅନ୍ତି।
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଦଳର ନେତା ଓ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ‘ନବାନ୍ନ’ ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ଅନେକ ବଡ଼ ନେତାଙ୍କୁ ପୁଲିସ୍ ଉଠାଇ ନେଇ ଅଟକ ରଖିଥିଲା। ଏମିତିକି ବିକ୍ଷୋଭକାରୀମାନଙ୍କୁ ଅଟକାଇବାକୁ ପୁଲିସ୍ ଟିୟର ଗ୍ୟାସ ଓ ପାଣିମାଡ଼ କରିଥିଲା। ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ଏକ ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

nis-ad
Leave A Reply

Your email address will not be published.