ଗୁଜୁରାଟରେ ସବୁ ଆସନରେ ଲଢ଼ିବ ଆପ୍‌

ନୂଆଦିଲ୍ଲୀ: ଆଗକୁ ଗୁଜରାଟ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ। ଗୁଜରାଟ ଦଖଲ କରିବାକୁ ହେଲାଣି ପ୍ରସ୍ତୁତି। ସମସ୍ତ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି କସରତ। ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଆପ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଗାମୀ ଗୁଜରାଟ ନିର୍ବାଚନରେ ସେ ସମସ୍ତ ଆସନରେ ଲଢ଼ିବେ ବୋଲି କହିଛନ୍ତି । ଏଥିସହ ‘ ଆସନ୍ତା ଦୁଇ ମାସ ଭିତରେ ବିଜେପି ଯାଉଛି ଆଉ ଆପ୍‌ ଆସୁଛି’ ବୋଲି କେଜ୍ରିୱାଲ ନାରା ଦେଇଛନ୍ତି।
ବର୍ତ୍ତମାନ ଗୁଜରାଟ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏଠାରୁ ସେ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି। ‘ମୁଁ ଏଠାରେ ଦୁଇମାସ ହେବ ବୁଲି ବୁଲି ସବୁ ବର୍ଗର ଲୋକଙ୍କ ସହ ମିଶୁଛି। ଜଣେ ବି ବ୍ୟକ୍ତି ବିଜେପି ଶାସନରେ ସନ୍ତୁଷ୍ଟ ଥିବା କଥା କହି ନାହାଁନ୍ତି। ଗୁଜରାଟରେ ଭ୍ରଷ୍ଟାଚାର ଭରି ରହିଛି। ଯେ କୌଣସି ସରକାରୀ ବିଭାଗରେ କାମ କରିବାକୁ ପଡିଲେ ଲାଞ୍ଚ ଦେବାକୁ ପଡୁଛି। ତଳସ୍ତରରୁ ଆରମ୍ଭ କରି ଉପରସ୍ତର ସବୁଠି ଦୁର୍ନୀତି ରହିଛି। ଏହା ବିରୋଧରେ ସ୍ୱର ଉଠାଇଲେ ଡରାଇବା ଓ ଧମକାଇବା ପାଇଁ ଚାଲିଆସୁଛନ୍ତି। ବ୍ୟବସାୟୀ ଓ ଶିଳ୍ପପତୀଙ୍କୁ ରେଡ୍‌ ଧମକ ମିଳୁଛି ଓ ତୁମର ଧନ୍ଦା ବନ୍ଧ କରିଦେବୁ ବୋଲି ବିଜେପି ଧମକ ଦେଉଥିବା କେଜ୍ରିୱାଲ କହିଛନ୍ତି।’
କେଜ୍ରିୱାଲ ଗୁଜରାଟର ଭୋଟରଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବା ପରେ ଏଠାରେ କୌଣସି ସରକାରୀ କାମ ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ । ସରକାରୀ କାମ କରିବାକୁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ ବରଂ ସରକାରୀ କର୍ମଚାରୀ ଲୋକଙ୍କ ପାଖକୁ ଆସିଯିବେ। ଏହାସହ ବିଜେପି କାର୍ଯ୍ୟକାଳରେ ହୋଇଥିବା ସମସ୍ତ ଦୁର୍ନୀତିର ଯାଞ୍ଚ ହେବ। ରାଜ୍ୟକୁ ଦୁର୍ନୀତି ଓ ଭୟ ମୁକ୍ତ ଶାସନ ଦିଆଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି।
ସେପଟେ ଗୁଜରାଟ ଲୋକଙ୍କୁ ମାଗଣା, ବିଜୁଳି ଓ ମାଗଣା ଶିକ୍ଷା ଦେବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିବା ପରେ ଏହାକୁ ବିଜେପି ଭିନ୍ନ ଭିନ୍ନ ଢ଼ଙ୍ଗରେ ବିରୋଧ କରୁଥିବା କଥା ଅଭିଯୋଗ କରିଛନ୍ତି କେଜ୍ରିୱାଲ। କେବଳ ବିଜେପି ନୁହେଁ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ଆପ୍‌ ମୁଖ୍ୟ। କଂଗ୍ରେସର ଏକ ଅଭିଯୋଗର ଉତ୍ତର ଦେଇ ସେ କହିଛନ୍ତି, ‘କଂଗ୍ରେସ ଶେଷ ହୋଇସାରିଛି।’

nis-ad
Leave A Reply

Your email address will not be published.