ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି ହୋଇଥିବା ମନେ ହେଉଛି। ପରସ୍ପର ଭିତରେ ପୁଣି ବଢ଼ିବାକୁ ଲାଗିଲାଣି କନ୍ଦଳ। ଅଶୋକ ଗେହଲୋଟଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ସଭାରେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦେବା ପରେ ବର୍ତ୍ତମାନ କଂଗ୍ରେସ ସମର୍ଥକଙ୍କୁ ଖୋଲାଖୋଲି ଚେତାବନୀ ଦିଆଯାଇଛି। ରାଜସ୍ଥାନରେ ବ୍ୟାନ୍‌ ହୋଇଛି ‘ସଚିନ ପାଇଲଟ୍‌ ଜିନ୍ଦାବାଦ’ ନାରା। ଏଭଳି ନାରା ଦେଲେ ଜେଲ୍‌ରେ ପୂରାଇ ଦେବାକୁ ଦିଆଯାଇଛି ଧମକ। ଏହି ଧମକ ଆଉ କେହି ନୁହେଁ ଖୋଦ୍‌ ଅଶୋକ ଗେହଲଟ୍‌ଙ୍କ ପରାମର୍ଶଦାତା ଦେଇଛନ୍ତି।
ଆଜି ରାଜସ୍ଥାନର ଡୁଡୁରେ ରାଜୀବ ଗାନ୍ଧୀ ଗ୍ରାମୀଣ ଅଲମ୍ପିକ୍ସ ପ୍ରତିଯୋଗିତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତେବେ ଏହା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ପରାମର୍ଶଦାତା ବାବୁଲାଲ ନାଗରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଷ୍ଟେଜ ଉପରେ ଠିଆ ହୋଇ ଲୋକଙ୍କୁ ପ୍ରଥମେ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, କେବଳ ୨ଟି ନାରା ମୁଁ କହିଛି, ରାଜୀବ ଗାନ୍ଧୀ ଅମର ରହେ, ଅଶୋକ ଗେହଲଟ ଜିନ୍ଦାବାଦ। ତୃତୀୟ କୌଣସି ନାରା କେହି ଦେବନି। ଯଦି ଅନ୍ୟ ନାରା ଲଗାଇବାର ଅଛି ତା’ ହେଲେ ଏଠୁ ଉଠିକି ପଳାଅ। ମଝିରେ କେହି ଅନ୍ୟ ନାରା ଲଗେଇବନି କି ପଛରେ ମୋତେ କେହି ଦୋଷ ଦେବେନି। ଯଦି ଅନ୍ୟ କିଛି ନାରା ଲଗାଇବେ ପୁଲିସ ଏଠାରୁ ଉଠାଇ ନେବ, କେସ କରିଦେବ। ଆପଣମାନେ କେବଳ ତାଳି ବଜାଇବେ।’ ବିଧାୟକଙ୍କ ଏହି ଅଜବ ବୟାନ ଏବେ ଭାଇରାଲ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ସୋମବାର ଦିନ ଗେହଲଟଙ୍କ କ୍ୟାମ୍ପର କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନାଙ୍କ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ମନ୍ତ୍ରୀଙ୍କ ସାମ୍ନାରେ ପାଇଲଟ୍‌ଙ୍କ ସମର୍ଥକମାନେ ନାରାବାଜି କରିଥିଲେ। କିଛି କାର୍ଯ୍ୟକର୍ତ୍ତାମାନେ ଜୋତା ମଧ୍ୟ ଫିଙ୍ଗିଥିଲେ।
ସଭାରୁ ଫେରିବା ପରେ ଚାନ୍ଦନା ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ କରିଥିଲେ। ଚାନ୍ଦନା କହିଥିଲେ, ‘ଯଦି ସଚିନ ପାଇଲଟ ମୋ ଉପରେ ଜୋତା ଫିଙ୍ଗି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଶୀଘ୍ର କରାଇ ଦିଆଯିବା ଉଚିତ। କାରଣ ଆଜି ମୁଁ ଲଢ଼ିବାକୁ ଚାହୁଁନି। ଯେଉଁ ଦିନ ମୁଁ ଲଢ଼ିବାକୁ ଆସିବି, ସେତେବେଳେ କେବଳ ଜଣେ ହିଁ ରହିବେ। ଆଉ ମୁଁ ଏହା ଚାହେଁନି।’
ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷରେ କଂଗ୍ରେସର ଅନେକ ନେତା ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଲେଣି। କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଲୋକେ ଚାହୁଁଥିବା କହିଛନ୍ତି। ତେବେ ଏହାକୁ କିନ୍ତୁ ଗେହଲଟଙ୍କ ସମର୍ଥକମାନେ ବରଦାସ୍ତ କରିପାରୁନାହାନ୍ତି।

nis-ad
Leave A Reply

Your email address will not be published.