ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ଫଳାଫକୁ ନେଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଭବିଷ୍ୟବାଣୀ । ୨୦୨୪ରେ ଓଡିଶାରେ ବିଜେପି ଲଢେଇ ରେ ରହିବ ନାହିଁ ।ମାତ୍ର ୩ଟି ଏମପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ । କେନ୍ଦ୍ରମନ୍ତ୍ରୀ ମାନେ ଯେତେ ରାଜ୍ୟକୁ ଗସ୍ତ କରିବେ ବିଜେପିର ସେତେ କ୍ଷତି ହେବ ବୋଲି ଦାମ ରାଉତ କହିଛନ୍ତି ।
ସେହିପରି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟମାନଙ୍କର ଟିକସ ଅର୍ଥରେ ଗସ୍ତ କରି ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ଲୋକେ ଗ୍ରହଣ କରିବେନି ବୋଲି ଦାମ କହିଛନ୍ତି । ଦାମ ସ୍ଵରରେ ସ୍ୱର ମିଳାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଗାମୀ ନିର୍ବାଚନରେ ଲୋକେ ବିଜେପିକୁ ପ୍ରତ୍ୟାଖାନ କରିବେ । ବିଜେଡି ଓ କଂଗ୍ରେସ ଭିତରେ ଲଢେଇ ହେବ । ବିଜେଡି ଅଧିକ ଏମପି ସିଟ ଜିତିବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି।
ବିଜେପିର ଡାର୍ଟି ପଲିଟିକ୍ସ
ରାଜ୍ୟରେ ସିବିଆଇ, ଇଡି ରେଡ଼୍ ସଂକ୍ରାନ୍ତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପରେ ଗୋଟିଏ ଅଣ ବିଜେପି ଶାସିତ ରାଜ୍ୟରେ ସ୍ଥାନୀୟ ସରକାରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସାହାରା ନେଉଛନ୍ତି। ଯାହାକୁ ନେଇ ଦେଶବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ଓଡ଼ିଶାରେ ବିଜେପି ସମାନ ଫର୍ମୂଲା ଆପଣେଇବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ମନ୍ତବ୍ୟରୁ ଆଭାସ ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଉଥିବା ବେଳେ ବିଜେପିର ଏପରି ଡାର୍ଟି ପଲିଟିକ୍ସର ଉତ୍ତର ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ନିଶ୍ଚୟ ଦେବେ ବୋଲି କଂଗ୍ରେସ ଓ ବିଜେଡି କହିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ମନ୍ତବ୍ୟ ସମ୍ପର୍କରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଦେଶରେ ଯେଉଁଠି ବିଜେପି କ୍ଷମତାରେ ନାହିଁ, ସେଠାରେ କ୍ଷମତାକୁ ଆସିବା ପାଇଁ ସିବିଆଇ, ଇଡିର ସାହାରା ନେଉଛି। ଓଡ଼ିଶାରେ ସେମାନେ ପାରୁନାହାନ୍ତି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଏପରି କଥା କହୁଥିବା ବେଳେ ସିବିଆଇ, ଇଡି ରେଡ୍ ଏଠି କାମ କରିବ ନାହିଁ। ଏପରି କଲେ ଫଳ ଓଲଟା ହେବ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ ବୋଲି ସେ କହିଛନ୍ତି।
ସେହିପରି ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ବିଜେପି ନେତୃତ୍ୱ ରାଜ୍ୟରେ ତାଙ୍କର ସ୍ଥିତି ଆକଳନ କରୁଥିଲେ। ଏଠାରେ ବାସ୍ତବତାକୁ ସେମାନେ ଦେଖିବା ପରେ ସେମାନଙ୍କ ନେତା ଏପରି ବିବୃତି ମାନ ଦେଉଛନ୍ତି। ସଂଘୀୟ ବ୍ୟବସ୍ଥାରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏପରି କାର୍ଯ୍ୟ ଯଦି ସେମାନେ କରନ୍ତି ତାହେଲେ ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ। କେବଳ ଜନମତ ନୁହେଁ ସେମାନେ ଜନ ଆକ୍ରୋଶର ଶିକାର ହେବେ ବୋଲି ଶ୍ରୀ ଶତପଥୀ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ ବିଜେଡି ମୁଖପାତ୍ର ଡ. ଲେଲିନ୍ ମହାନ୍ତି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଜଣେ କେନ୍ଦ୍ରମନ୍ତ୍ରୀ ସିବିଆଇ, ଇଡିର ମୁଖପାତ୍ର ପାଲଟିଥିବା ଦେଖି ମୁଁ ଆଶ୍ଚର୍ଯ୍ୟ। ମୁଖପାତ୍ର ହେବା ପରିବର୍ତ୍ତେ ଯଦି କେନ୍ଦ୍ରମନ୍ତ୍ରୀ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ କିଛି କରନ୍ତେ , ସେନେଇ ଚିନ୍ତା ପ୍ରକାଶ କରନ୍ତେ ତାହେଲେ ରାଜ୍ୟବାସୀ ଖୁସି ହୁଅନ୍ତେ। ମାତ୍ର ଏପରି ତୁଚ୍ଛା ବାହାସ୍ଫୋଟ ମାରି ସେ ନିଜକୁ ନ୍ୟୁନ କରୁଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି।