ଫୁଲବାଣୀ ସହରରେ ବିଭିନ୍ନ ବିଭାଗର ଯନ୍ତ୍ରୀଙ୍କ ଉପରେ ଆକ୍ରମଣ, ପୋଲିସ ନିଷ୍କ୍ରିୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଲଗାତାର ଆକ୍ରୋଶ ମୁଳକ ଭାବେ ଆକ୍ରମଣ ହେଉଛି । ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ନିରବ ରହୁଛି।ସେହିପରି ଆଜିର ଆକ୍ରମଣର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟିର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ । ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ୍ତ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏ ନେଇ ଯନ୍ତ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେ ।ତେବେ ସହରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ଓ ପୋଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ସୋମବାର ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିକରି ପୋଲିସ ଏସ ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ମଧ୍ୟ ଭେଟି ଜଣାଇ ଥିଲେ। ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁକିଛି ଦୁର୍ବୁତ୍ତ ଗାଳିଗୁଲଜ କରିବା ସହ ଅସଦ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଅଗଷ୍ଟ ୧୬ରେ ଫୁଲବାଣୀ ପିଡବ୍ଲଡିର ଅନ୍ୟ ଜଣେ ଯନ୍ତ୍ରୀକୁ ମଧ୍ୟ ଜଣେ ଦୁର୍ବୁତ୍ତ କୋର୍ଟ ଛକରେ ଛୁରୀଭୁସି ଦେଇଥିଲା । ଆହତ ଯନ୍ତ୍ରୀ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।କେବଳ ସେତିକି ନୁହେଁ ଗତବର୍ଷ ମଧ୍ଯ ସରୋଜ ପାଢ଼ୀ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଦୁର୍ବୁତ୍ତ ମାନେ ପଶି ମାଡ଼ ମାରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ଫୁଲବାଣୀ ସହରରେ କଣ ଯନ୍ତ୍ରୀ ମାନେ ଆଉ ସୁରକ୍ଷିତ ନୁହଁନ୍ତି ବୋଲି ସମଗ୍ର ସହରରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.