ହକ ଦାବୀ ନେଇ ବିଛିନ୍ନାଞ୍ଚଳ ଓଡ଼ିଆ କଳାକାରଙ୍କ ସଜବାଜ

ବ୍ରହ୍ମପୁର (୧୨/୦୯) : ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳବାସୀ ଓଡ଼ିଆ କଳାକାରମାନଙ୍କ ଦୁଃଖ-ଦୁର୍ଦ୍ଦଶା ଅତୀବ ଶୋଚନୀୟ । ସେମାନଙ୍କୁ ଆନ୍ଧ୍ର ସରକାର କି ଆମ ଓଡ଼ିଶା ସରକାର କେହି ସହାୟତାର ହାତ ବଢାଉ ନାହାନ୍ତି । ଏଣୁ ବାଧ୍ୟ ହୋଇ ସେମାନେ ସଂଘବଦ୍ଧ ଭାବରେ ଉଭୟ ରାଜ୍ୟ ସରକାରଙ୍କୁ ନିଜ ଦାବି ଜଣାଇବା ନିମନ୍ତେ ତତ୍ପର ହୋଇ ଉଠିଛନ୍ତି । ଚଳିତ ମାସ ଆଠ ତାରିଖରେ “ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ” ଗଠିତ ହୋଇଥିଲା । ଆଜି ପୁନଶ୍ଚ ମହାସଂଘ ପକ୍ଷରୁ ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡ଼ାରସିଙ୍ଗି ରଘୁନାଥ ମନ୍ଦିର ପରିସରରେ ମହାସଂଘ ସଂପାଦକ ତଥା ବୁଡାରସିଙ୍ଗି ସରପଞ୍ଚ ସୁରେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମହାସଂଘ ଉପଦେଷ୍ଟା ତଥା ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁଙ୍କ ତତ୍ତ୍ଵାବଧାନରେ ମହାସଂଘର ଜିଲ୍ଲା ଶାଖା “ଶ୍ରୀକାକୁଲମ୍ ଜିଲ୍ଲା ଓଡ଼ିଆ କଳାକାର ସଂଘ”ର କର୍ମକର୍ତ୍ତା ଚୟନ କରାଯାଇଥିଲା । ତଦନୁସାରେ ବରିଷ୍ଠ ତେଲୁଗୁ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତା କୁମାର ନାୟକ ସଭାପତି, ବରିଷ୍ଠ କଳାକାର କୁରା ଗୌଡ ଉପସଭାପତି, ଶିକ୍ଷାବିତ୍ ତଥା ବରିଷ୍ଠ କଳାକାର ନୀଳକଣ୍ଠ ନାଲ୍ଲା ସମ୍ପାଦକ, କଣ୍ଠଶିଳ୍ପୀ ହରିଶ୍ଚନ୍ଦ୍ର ମାଝୀ କୋଷାଧ୍ୟକ୍ଷ ଏବଂ ବରିଷ୍ଠ କଳାକାର ଖଗେଶ୍ବର ଗୌଡ, ମୁରଲୀ ମୋହନ ମହାପାତ୍ର ଓ ସାଗର ରାଉଳ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଚୟିତ ହୋଇଛନ୍ତି । ଜିଲ୍ଲାର ବହୁ କଳାକାର ଉପସ୍ଥିତ ରହି ଜିଲ୍ଲା ସଂଘ ଗଠନରେ ସହାୟତା କରିଥିଲେ । ପରିଶେଷରେ ସଂଘ ସମ୍ପାଦକ ନୀଳକଣ୍ଠ ନାଲ୍ଲା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.