ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି।
ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦୀରୋଗୀ। ଏକ ନିର୍ଦ୍ଦିଷ୍ଟ ଡେସିମିଲ ପରିଧି ମଧ୍ୟରେ ଡ଼ିଜେ ବାଜିବା କଥା। ଅନୁରୂପ ଭାବେ ଡ଼ିଜେ ବଜାଇବା ନିମନ୍ତେ ଅନୁମତି ପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କ ଠାରୁ ଆଣିବା କଥା। କିନ୍ତୁ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟୁଛି। ସବୁ କଟକଣାକୁ ଜନସାଧାରଣ ମାନେ ଫୁ କରି ଉଡାଇଦେଉଛନ୍ତି।
ବାଣପୁର ଏକ ପୁରୁଣା ସହର ହୋଇଥିବା ବେଳେ ଏହାର ରାସ୍ତା ଗୁଡ଼ିକ ଅତି ସଂକୀର୍ଣ୍ଣ ଏବଂ ଘର ଗୁଡ଼ିକ ମଧ୍ୟ ବହୁ ପୁରାତନ। ଏହି ପରିସ୍ଥିତିରେ ଯଦି ଉକ୍ତ ରାସ୍ତା ଦେଇ ଜୋର ଶବ୍ଦରେ ଡ଼ିଜେ ବାଜୁଛି ତେବେ ଘରର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ। ଅନୁରୂପ ଭାବେ ଚଳିତ ବର୍ଷ ଗଣେଶ ପୂଜା ଭଷାଣିରେ ଡ଼ିଜେ ବାଜିବାକୁ ନେଇ ଉକ୍ତ ଅଂଚଳରେ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ଉପୁଜିଥିବାର ଦେଖାଯାଇଛି।
ତେବେ ଏଥିରେ ଅତିଷ୍ଠ ହୋଇ ଗତକାଲି ବାଣପୁର ଅଞ୍ଚଳର ଜଣେ ଯୁବକ ଖୋର୍ଦ୍ଧା ଏସପିଙ୍କୁ ଟ୍ୱିଟ କରିଥିବାର ମଧ୍ୟ ଦେଖାଯାଇଛି। ପୋଲିସ ପ୍ରଶାସନ ଏବଂ ଉଭୟ ତହସିଲଦାର ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ପଚାରିବାରୁ ପୋଲିସ ଉଭୟ ଅଞ୍ଚଳରେ ଯଥାସମ୍ଭବ ପାଟ୍ରୋଲିଂ ଜାରି ରଖିଛି ଏବଂ ଯଦି ଏପରି ସମସ୍ୟାର କେହି ସମ୍ମୁଖୀନ ହେଉଛନ୍ତି, ତେବେ ସେ ବ୍ୟକ୍ତି ତୁରନ୍ତ ଏସଡିପିଓ ଙ୍କ ବ୍ୟକ୍ତିଗତ ନମ୍ବର (୯୦୭-୮୯୩-୪୯୩୪) କୁ କଲ କିମ୍ବା ହ୍ଵାଟ୍ସଆପରେ ମେସେଜ କରିବାକୁ ଅନୁରୋଧ କରିଛନ୍ତି। ଏବଂ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।