ଆରଏମ‌ସି ପକ୍ଷରୁ ‘ଅନ୍ତର୍ଜାତୀୟ ନୀଳ ଆକାଶ ପାଇଁ ସ୍ବଚ୍ଛ ବାୟୁ ଦିବସ’ ପାଳିତ

ବିଦ୍ୟୁତ ଚାଳିତ ଯାନର ବ୍ୟବହାର ଉପରେ ଗୁରୁତ୍ବ ଦେଲେ ଉପ ଆୟୁକ୍ତ ସୁଧାଂଶୁ ଭୋଇ
ରାଉରକେଲା : ‘ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁମଣ୍ଡଳ’ ଏହିପରି ଏକ ଅନ୍ତର୍ଜାତୀୟ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ‘ଜାତୀୟ ସ୍ୱଚ୍ଛ ବାୟୁ’ ବା ନ୍ୟାସନାଲ କ୍ଳିନ୍‌ ଏୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉପ ଆୟୁକ୍ତ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଲୋକଙ୍କୁ ସଚେତନ କରାଯାଇଥିଲା। ବାୟୁ ପ୍ରଦୂଷଣ ସମ୍ପ୍ରତି ଏକ ବଡ଼ ସମସ୍ୟା ଭାବ ଉଭା ହୋଇଥିବା ବେଳେ ଏହାର ସମାଧାନ ନେଇ ସମସ୍ତେ ନିଜ ନିଜ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଅତି ଜରୁରୀ ନଥିଲେ ଯିବା ଆସିବା ପାଇଁ ମୋଟର ସାଇକେଲ କିମ୍ବା କାର ବ୍ୟବହାର ନକରି ଚାଲି ଚାଲି ବା ସାଇକେଲରେ ଯିବା ଆସିବା କରିବା ଉଚିତ । ଏପରିକି ଆଗାମୀ ଦିନରେ ଯେଉଁ ମାନେ ମୋଟର ସାଇକେଲ କିମ୍ବା କାର କିଣିବାକୁ ଚାହୁଁଛନ୍ତି ସେମାନେ ଇଲେକ୍ଟ୍ରିକ ବାଇକ ବା କାର କିଣିବାକୁ ପରାମର୍ଶ ଦେଇଛନ୍ତି ଉପଆୟୁକ୍ତ ଶ୍ରୀ ଭୋଇ।
ଏହାସହିତ ସହରରେ ପ୍ରଦୂଷଣ ରୋକିବା ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛନ୍ତି ଶ୍ରୀ ଭୋଇ। ସହର ଏଯାବତ୍‌ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ୟୁନିଟ ପ୍ରତିଷ୍ଠା କରାଯାଇଥିବା ବେଳେ ଏହା ସହାୟତାରେ ସହରରୁ ବାହାରୁଥିବା ଓଦା ଅଳିଆକୁ ଖତରେ ପରିଣତ କରାଯାଉଛି। ଏବଂ ଶୁଖିଲା ଓ କଠିନ ବର୍ଜ୍ୟବସ୍ତକୁ ମେଟରିଆଲ ରିକଭରି ଫ୍ୟାସିଲିଟିକୁ ପଠାଇ ଦିଆଯାଉଛି। ସେଠାରୁ ଏହି ବର୍ଜ୍ୟବସ୍ତକୁ ଡାଲମିଆ ସିମେଣ୍ଟକୁ ପଠାଇଦିଆଯାଉଛି। ଯାହାକୁ ସେମାନେ ଆବଶ୍ୟକ ପ୍ରକ୍ରିୟାକରଣ ପରେ ଇଟା ପ୍ରସ୍ତୁତ କରିବାରେ ବ୍ୟବହାର କରୁଛନ୍ତି। ଏଯାବତ୍‌ ରାଉରକେଲା ମହାନଗର ନିଗମ ପକ୍ଷରୁ ୨୨୪୩ ମେଟ୍ରିକ ଟନ୍‌ କଠିନ୍‌ ବର୍ଜ୍ୟବସ୍ତୁକୁ ଡାଲିମିିଆ ସିମେଣ୍ଟକୁ ପଠାଗଲାଣି। ଏହାସହିତ ସହରରେ ଅଳିଆ ସଂଗ୍ରହ କରିବା ପାଇଁ ୬୭ ବ୍ୟାଟେରୀ ଚାଳିତ ଯାନ ବ୍ୟବହାର କରାଯାଉଛି। ବାୟୁରେ ଧୂଳିର ମାତ୍ରା କମାଇବା ପାଇଁ ରାସ୍ତା ସଫେଇ କାର୍ଯ୍ୟରେ ମେସିନ‌ର ବ୍ୟବହାର କରାଯାଉଛି। ଏଥିସହିତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଅଥବା ଭଙ୍ଗାରୁଜା ଯୋଗୁଁ ଉତ୍ପନ୍ନ ହେଉଥିବା ଅନାବଶ୍ୟକ ଜିନିଷକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯିବ ସହ ଖାଲୁଆ ସ୍ଥାନମାନଙ୍କ ପୂର୍ତ୍ତିରେ ବ୍ୟବହାର କରାଯାଉଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ତଥା ବରିଷ୍ଠ ବୈଜ୍ଞାନିକ ବି.ବି.ଦାସ ବର୍ତ୍ତମାନ ରାଉଲକେଲା ବାୟୁ ପ୍ରଦୂଷଣର ମାତ୍ରା, ଏହାକୁ ଆହୁରି ଅଧିକ ହ୍ରାସ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ନ୍ୟାସନାଲ ଇନ‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏନ‌ଆଇଟି), ରାଉରକେଲାର ଆସିଷ୍ଟାଣ୍ଟ ପ୍ରଫେସର ରବି ନାରାୟଣ ବେହେରା ବାୟୁ ପ୍ରଦୂଷଣ ଯୋଗୁଁ ଉପୁଜୁଥିବା ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା ବେଳେ ଆଧୁନିକ ମେଟାଲିକ‌ର ଆର.ଏନ୍‌ ପାଢ଼ୀ କମ୍ପାନିର ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଉପ ଆୟୁକ୍ତ ସୁଧାଂଶୁ ଭୋଇଙ୍କ ସମେତ ଉପ ଆୟୁକ୍ତ ଡ. ଗୌରବମୟ ପ୍ରଧାନ ଓ ରୋନିତ କୁମାର, ସହାୟକ ଆୟୁକ୍ତ ସୁକାନ୍ତ ବେଉରା, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ଶାହ ଓ ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ସହ ସ୍ବଚ୍ଛ ସାଥିମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.