ରୋଜଗାର ଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଉତ୍କଳ ଉଦ୍ୟୋଗୀତା ଏବଂ ବୃତ୍ତି ହବ୍ (ୟୁ.ଇ.ସି.ଏଚ.) ତରଫରୁ ଏକ ରୋଜଗାର ଓ କୌଶଳ ବିକାଶ କାର୍ଯ୍ୟକ୍ରମ କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ପୁସ୍ତକ ଶିକ୍ଷା ସହିତ ରୋଜଗାର ଓ କୌଶଳ ବିଦ୍ୟା ଗ୍ରହଣ କରିବାର ପ୍ରତିଜ୍ଞାକରି ଆଗକୁ ବଢିବା ଦରକାର।

ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ ଓ ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି। ରାଜ୍ୟର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ‘ସ୍କିଲିଂ ଆଉଟକମ’କୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଆଲୋକପାତ କରିଥିଲେ ।

ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ କ୍ୟାପଟେନ ଭୂପତି ପ୍ରସାଦ ହୋତା ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ | କୌଶଳ ବିଦ୍ୟା ଶିକ୍ଷା ଦେବାରେ ବାଙ୍କୀ କଲେଜ ସର୍ବ ପ୍ରଥମ। ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏଠାରେ ଯାହାବି ପ୍ରଶିକ୍ଷଣ ଆଜି ଦିଆଯାଉଛି ତାକୁ ଗ୍ରହଣ କରି ଆଗକୁ ବଢିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ସେ କହିଛନ୍ତି ।

ୟୁ.ଇ.ସି.ଏଚର ନିର୍ଦ୍ଦେଶକ ପ୍ରଫେସର ଆବିଦ ଅଲ୍ଲୀ ଖାନ, ରୁସା ୨.୦ ର ପ୍ରୋଗ୍ରାମ ମ୍ୟାନେଜର (ୟୁଥ) ସ୍ଵାତୀ ପ୍ରିୟଦର୍ଶନୀ ଆଚାର୍ଯ୍ୟ, ରୁସା ୨.୦ ର ଗବେଷଣା ସହାୟକ ଲକ୍ଷ୍ମୀଧର ଚାନ୍ଦ, ବାଙ୍କୀ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଏମ.କେ ମହାରଣା, ଅଧ୍ୟାପକ ମୁକ୍ତିପଦ ପଣ୍ଡା ଏବଂ ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.