ଅଦାଲତକୁ ଆସିବା ବାଟରେ ନିଖୋଜ ଘଟଣା, ଧାନ ବିଲରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଦେବଗଡ଼: ଗତ ଅଗଷ୍ଟ ମାସ ୨୨ ତାରିଖ ଦିନ ଦେବଗଡ ଅଦାଲତକୁ ଆସିବା ବାଟରେ ନିଖୋଜ ହୋଇଯାଇଥିବା ବାରକୋଟ ବ୍ଲକ ବଳିତା ଗ୍ରାମର ଝସକେତନ ବେହେରା ଓରଫ ପୁଟୁ (୪୮)ଙ୍କର ଗଳିତ ମୃତଦେହ ଆଜି ଦେବଗଡ ଥାନା ବଣିଆଁକିଲିଣ୍ଡା ଗ୍ରାମର ଏକ ଧାନବିଲରୁ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ବଳିତା ଗ୍ରାମର ଝସକେତନ ବେହେରା ଓରଫ ପୁଟୁ ଗତ ୨୬ ତାରିଖ ଦିନ ଦେବଗଡ ଅଦାଲତକୁ ଆସିଥିଲେ।

ମାତ୍ର ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ଗତ ମଙ୍ଗଳବାର ଦିନ ପୁଟୁ ଦେବଗଡ ଥାନା ଅନ୍ତର୍ଗତ ବଣିଆଁକିଲିଣ୍ଡା ଗ୍ରାମକୁ ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ସେଠାକୁ ଆସି ଖୋଜାଖୋଜି କରିବାରୁ ଉକ୍ତ ଗ୍ରାମରୁ ପୁଟୁଙ୍କର ଗାମୁଛା ମିଳିଥିଲେ ହେଁ ପୁଟୁଙ୍କୁ ନପାଇ ନିରାଶ ହୋଇ ଫେରିଯାଇଥିଲେ।

ବଣିଆଁକିଲିଣ୍ଡା ଗ୍ରାମର ଏକ ଧାନବିଲରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ପଡିଥିବା ଆଜି ସୂଚନା ପାଇ ପୁଟୁଙ୍କ ସ୍ତ୍ରୀ କମଳା ବେହେରା ସେଠାରେ ପହଞ୍ଚି ଥିଲେ। ମୃତଦେହ ନିକଟକୁ ଯାଇ ମୃତଦେହର ନଖ ଏବଂ ଚୁଟି ସମେତ ଗଳାରେ ଲାଗିଥିବା କଳା ରଙ୍ଗର ମାଳି ଦେଖି ଏହା ତାଙ୍କ ସ୍ୱାମୀ ପୁଟୁଙ୍କର ବୋଲି ଚିହ୍ନଟ କରିଥିଲେ। ସେହିପରି ପୁଟୁ ଜଣେ କିଡନୀ ରୋଗୀ ହୋଇଥିବାରୁ ଅସୁସ୍ଥତା ଯୋଗୁଁ ପୁଟୁଙ୍କର ମୃତ୍ୟୁ ଘଟିଥିବା ସ୍ତ୍ରୀ କମଳା ତାଙ୍କର ଏତଲାରେ ଦର୍ଶାଇଛନ୍ତି।
ସୂଚନା ପାଇ ଦେବଗଡ ଆଦର୍ଶ ଥାନା ପୁୁଲିସ ଏକ ଅପମୃତ୍ୟୁ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିବାସହ ଧାନବିଲରୁ ପୁଟୁଙ୍କର ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଏ ଘଟଣା ଆଜି ସମଗ୍ର ଦେବଗଡ ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି। ମୃତ ଦେହ ଉଦ୍ଧାର ସମୟରେ ଦେବଗଡ ଜିଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳ ଓ ପୁଟୁଙ୍କର ପଡୋଶୀ ତଥା ଡଁରା ଗ୍ରାମ ପଂଚାୟତର ସରପଞ୍ଚ ପ୍ରକାଶ କୁମାର ପାଣି ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

nis-ad
Leave A Reply

Your email address will not be published.