ରୁଷରେ ଆରମ୍ଭ ହେଲା ବୃହତ୍ ସମରାଭ୍ୟାସ ଭୋସ୍ତକ୍-୨୦୨୨ ; ଆମେରିକାର ସମାଲୋଚନା ସତ୍ତ୍ବେ ଅଂଶଗ୍ରହଣ କରୁଛି ଭାରତ

ମସ୍କୋ : ରୁଷରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨ । ବିଭିନ୍ନ କାରଣରୁ ଏହି ସମରାଭ୍ୟାସ ବିବାଦ ସୃଷ୍ଟି କରିଛି । ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ନିଜର ପ୍ରଭାବ ଦେଖାଇବାକୁ ଚାହୁଁଛି । ଅନ୍ୟପଟେ ଭାରତ ଏହି ସମରାଭ୍ୟାସରେ ଯୋଗ ଦେଉଥିବାରୁ ତାହାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି । ଭାରତର ଅଂଶଗ୍ରହଣକୁ ନେଇ ଆମେରିକା ଖୋଲାଖୋଲି ଅସନ୍ତୋଷ ଜଣାଇ ସାରିଛି ।
ତେବେ ଭାରତର ସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୌଣସି ଘୋଷଣା କରିନଥିଲେ ବି ଗତ ମାସରେ ଚୀନ ସେନାର ଏକ ରିପୋର୍ଟରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଦିଆଯାଇଥିଲା ।
ଏହି ସମରାଭ୍ୟାସରେ ଭାରତ, ଚୀନ, ଆର୍ମେନିଆ, ଆଜରବୈଜାନ, ବେଲାରୁଷ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକିସ୍ତାନ ଓ ମଙ୍ଗୋଲିଆ ସେନା ଯୋଗ ଦେଇଛନ୍ତି । ଏହି ସମରାଭ୍ୟାସରେ ୫୦ ହଜାର ସୈନ୍ୟ, ୫ ହଜାର ଯୁଦ୍ଧ ସରଞ୍ଜାମ,୧୪୦ଟି ଲଢୁଆ ବିମାନ, ୬୦ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ ।
ସାମରିକ ବିଶେଷଜ୍ଞମାନେ ଏହି ସମରାଭ୍ୟାସକୁ ବେଶ ଗୁରୁତ୍ବ ଦେଉଛନ୍ତି । କାରଣ ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ତାଇଓ୍ବାନକୁ ନେଇ ଚୀନ ସମରାଭ୍ୟାସ ଜାରି ରଖିଛି । ଏପରିପ୍ରେକ୍ଷୀରେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ଦର୍ଶାଇବାକୁ ଚାହୁଁଛି ଯେ ସେ ବିଶ୍ବରେ ଏକୁଟିଆ ନାହିଁ ଓ ତା ପାଖରେ ଯଥେଷ୍ଟ ଯୁଦ୍ଧ ସରଞ୍ଜାମ ଅଛି ।

nis-ad
Leave A Reply

Your email address will not be published.