ଜାତୀୟ ରାଜପଥ ମେଡିଆନ୍‌ରେ ଲାଗିବନି କନିଅର

ଭୁବନେଶ୍ବର : ଜାତୀୟ ରାଜପଥରେ ଆଉ ଦେଖିବାକୁ ମିଳିବନି କନିଅର ଗଛ। ମେଡିଆନ୍‌ କିମ୍ବା ରାଜପଥ ପାର୍ଶ୍ବରେ ଏହି ପ୍ରଜାତିର କୌଣସି ଗଛ ଲଗାଯିବ ନାହିଁ। ଯେଉଁଠି ରହିଛି, ତାହା ପୂର୍ବବତ୍‌ ରହିବ। ମାତ୍ର ଯେଉଁ ରାସ୍ତା‌ରେ ନୂଆ ଗଛ ଲାଗିବ, ସେଠାରେ କନିଅରକୁ ବାଦ୍‌ ଦିଆଯିବ। କନିଅର ବଦଳରେ ଟଗର, ବୋଗନଭିଲିଆ, କାଲଆନ୍ଧ୍ରା, ସୀତାଫଳ, ଟେକୋମି ଆଦି ବୃକ୍ଷରୋପଣ କରାଯିବ।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସମେତ ସାରା ଦେଶର କୌଣସି ପ୍ରାନ୍ତରେ ଜାତୀୟ ରାଜପଥର ମେଡିଆନ୍‌ ବା ରାସ୍ତା ମଝି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ସବୁ ପ୍ରକାର କନିଅର ଗଛ ବାଦ୍ ପଡ଼ିବ।

ଏନ୍‌ଏଚ୍‌ଏଆଇ କର୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ପ୍ରକାର କନିଅର ଗଛଗୁଡ଼ିକରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ତାହା ପରିବେଶକୁ ପ୍ରଦୂଷିତ କରିଥାଏ। ଏହାଦ୍ବାରା ଉଭୟ ମଣିଷ ଓ ପଶୁପକ୍ଷୀ ଅଧିକ ଭାବେ ପ୍ରଭାବିତ ହୋଇଥା’ନ୍ତି। ୨୦୧୬ରୁ ଏହି ପ୍ରଜାତିର ବୃକ୍ଷଗୁଡ଼ିକୁ ମେଡିଆନ୍‌ ବୃକ୍ଷରୋପଣରୁ ବାଦ୍ ଦେବା ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ତେବେ ବିଭିନ୍ନ କାରଣରୁ ଏହି ପ୍ରସ୍ତାବ ଉପରେ ମୋହର ବାଜି ପାରିନଥିଲା। ଏବେ ପୁଣିଥରେ ଏହି ପ୍ରସ୍ତାବ ଆଗତ ହେବା ପରେ ସରକାରୀ ମୋହର ବାଜିଛି। ନୂତନ ଭାବେ ଜାରି ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଜାତୀୟ ରାଜପଥର ମେଡିଆନରେ ପୂର୍ବରୁ ଲାଗିଥିବା କନିଅର ଗଛଗୁଡ଼ିକୁ ନଷ୍ଟ କରାଯିବ ନାହିଁ। ହେଲେ ଅନ୍ୟ ଯେକୌଣସି ସ୍ଥାନରେ ନୂତନ ମେଡିଆନ୍‌ ବୃକ୍ଷରୋପଣ କରାଯିବ, ସେଠାରେ ଏହାକୁ ସାମିଲ କରାଯିବ ନାହିଁ। ଓଡ଼ିଶା ମଧ୍ୟରେ ୨୨ଟି ଜାତୀୟ ରାଜପଥ ରହିଛି, ଯାହାର ଲମ୍ବ ୪୫୧୦.୭୧୨ କିଲୋମିଟର।

ଗତବର୍ଷ ମେଡିଆନ୍‌ରେ ଲାଗିଛି ୩ଲକ୍ଷ ଗଛ
ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରିବେଶବିତ୍‌ଙ୍କ ପ୍ରସ୍ତାବ

ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ପରିବେଶ ସମିତି ସାଧାରଣ ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ କରିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ବହୁ ଆଗରୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଥିଲା। ୨୦୧୬ରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା। ସାଧାରଣତଃ ଏହି ପ୍ରଜାତିର ବୃକ୍ଷଗୁଡ଼ିକ ଝଙ୍କାଳିଆ ହୋଇଥିବାରୁ ପୂର୍ବରୁ ମେଡିଆନ୍‌ରେ ଲଗାଯାଉଥିଲା। ଏହାଦ୍ବାରା ରାତିରେ ଗାଡ଼ିଗୁଡ଼ିକର ଲାଇଟ୍‌ ବିପରୀତ ଦିଗରେ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ଅସୁବିଧାର କାରଣ ହେଉନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଏହି ବୃକ୍ଷ ପରିବେଶ ପରିପନ୍ଥୀ। କନିଅରର ଉତ୍ପତ୍ତି ମେସ୍କିକୋରୁ ହୋଇଛି। ସମୟକ୍ରମେ ଏହା ବିଶ୍ବର ବିଭିନ୍ନ ଦେଶକୁ ବ୍ୟାପିଛି। ଓଡ଼ିଶା ସମେତ ଭାରତରେ ବି ଏହା ଆଦୃ୍ତ ହେଉଛି। ମାତ୍ର ଏହି ଗଛରେ ବିଷାକ୍ତ ପଦାର୍ଥ ଭରି ରହିଛି। ଗଛର ଯେଉଁ ଅଂଶ ବି ଖାଇଲେ ବିଷାକ୍ତ। ଏଥିରେ ଗ୍ଲାଇକୋସ୍ଲାଇଡ୍‌ ପଦାର୍ଥ ରହିଛି, ଯାହାକି ଲୋକଙ୍କ ମସ୍ତିଷ୍କ ଓ ହୃତ୍‌ପିଣ୍ଡକୁ ପ୍ରଭାବିତ କରେ। ଆଗରୁ କନିଅର ମଞ୍ଜି ଖାଇ ଲୋକେ ଆତ୍ମହତ୍ୟା କରୁଥିବାରୁ ବହୁ ନଜିର ରହିଛି। ବିଷାକ୍ତ ଉଦ୍ଭିଦ ହୋଇଥିବାରୁ ତାହାକୁ ନ ଲଗାଇବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ରାଜ୍ୟ ରାଜପଥରେ କନିଅର ବଦଳରେ ଅନ୍ୟାନ୍ୟ ଗଛ ଲଗାଇବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏନ୍‌ଏଚ୍‌ଏଆଇର ଓଡ଼ିଶା ମୁଖ୍ୟ ଆର ପି ପଣ୍ଡା କହିଛନ୍ତି ଯେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମରୁ କନିଅର ଗଛକୁ ବାଦ୍‌ ଦେଇଛୁ। ଗତବର୍ଷ ଓଡ଼ିଶାରେ ପାଖାପାଖି ୩ ଲକ୍ଷ ବୃକ୍ଷରୋପଣ ହୋଇଛି। ସେଠାରେ କନିଅର ଗଛ ଲଗାଯାଇ ନାହିଁ। ତା’ବଦଳରେ ଓଡ଼ିଶା ପାଣିପାଗକୁ ସୁହାଉଥିବା ଟଗର ଓ ବୋଗନଭିଲିଆ ଗଛ ଲଗାଉଛୁ।

nis-ad
Leave A Reply

Your email address will not be published.