ପୁଲିସ ଅବହେଳାରୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟି ଘଟିଲା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜାନୁଆରି ମାସରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ଜାଣିପାରିଥିବା କଥା ଆଜି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।
ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଫିରୋଜପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା କଥା ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ବାଧୀନ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି କହିଛି।
କମିଟି ରିପୋର୍ଟ ପଢ଼ିବା ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଫିରୋଜପୁର ଏସ୍.ଏସ୍‌,ପି, ତାଙ୍କ ଦାୟିତ୍ବ ତୁଲାଇବାରେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେ ରାସ୍ତାରେ ଯାଉଛନ୍ତି ବୋଲି ୨ ଘଣ୍ଟା ପୂର୍ବରୁ ଜଣାଇ ଦିଆଯିବା ସତ୍ତ୍ବେ ଯଥେଷ୍ଟସଂଖ୍ୟକ ପୁଲିସ କର୍ମଚାରୀ ଥାଇ ବି ସେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିଲେ।
ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଠୋର କରିବା ପାଇଁ ଉକ୍ତ ୫ ସଦସ୍ୟବିଶିଷ୍ଟ କମିଟି କ‌େତେକ ସଂସ୍କାରମୂଳକ ପ୍ରସ୍ତାବ ମଧ୍ୟ ଦେଇଛି। ଆମେ ଉକ୍ତ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଲେ ସେମାନେ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ନିର୍ବାଚନ ରାଲିରେ ଯୋଗ ଦେବା ପାଇଁ ଜାନୁଆରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଫିରୋଜପୁର ଯାଉଥିବା ବେଳେ କୃଷକମାନେ ପଥ ଅବରୋଧ କରିଥିବାରୁ ହୁସେନ୍‌ୱାଲାଠାରୁ ୩୦ କିଲୋମିଟର୍‌ ଦୂରରେ ଥିବା ଏକ ଫ୍ଲାଏଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ୨୦ ମିନିଟ୍‌ ଅଟକି ରହିଥିଲେ।

nis-ad
Leave A Reply

Your email address will not be published.