ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବାରୁ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍‌ କ‌ୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।
ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଆଜି ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କ ପ୍ରତି ଗୁଜରାଟ ସରକାରଙ୍କ ସଜା କୋହଳ ମଞ୍ଜୁରିକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିଲେ।
ପୁଣି ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କସିଷ୍ଟ୍‌) ପଲିଟିବ୍ୟୁରୋ’ର ସଦସ୍ୟ ଶୁଭାସିନୀ ଅଲି, ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ଏବଂ ଅନ୍ୟ ଜଣେ ପିଟିସନର୍‌ ସୁପ୍ରିମ୍‌ କୋର୍ଟରେ ଉପରୋକ୍ତ ମାମଲାରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।
ସେମାନଙ୍କ ପିଟିସନ୍‌ର ଶୁଣାଣି କରାଯିବ ବୋଲି ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ କହିଥିଲେ।
ସଜା କୋହଳ ପରେ ଅଗଷ୍ଟ ୧୫ ତାରିଖ ଦିନ ୧୧ଜଣ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ତତ୍‌କ୍ଷଣାତ୍‌ ଏହି ଘଟଣା ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସ୍ପେସାଲ୍‌ କୋର୍ଟ ବିଚାରପତି ଏବଂ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ରାଜନୈତିକ କ୍ଷେତ୍ରରେ ସନ୍ଦେହ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.