୧୨ ଜିଲ୍ଲାରେ ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ

ଭୁବନେଶ୍ୱର : ୫-ଟି ଯୋଜନାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ । ଏହି ଟର୍ମିନାଲରେ ଟ୍ରକ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିବ । ଖାଲି ପାର୍କିଂ ନୁହେଁ, ଏହା ସହ ସର୍ଭିସିଂ, ଗ୍ୟାରେଜ, ସ୍ପେୟାର ପାର୍ଟସ ଦୋକାନ, ଗୋଦାମ, ଡ୍ରାଇଭର ଓ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ତେଲ ଟାଙ୍କି, ଫୁଡ୍‌ କୋର୍ଟ, ହୋଟେଲ, ଏଟିଏମ ସୁବିଧା ରହିବ ।

ଡ୍ରାଇଭର, ହେଲପରମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଏଠାରେ ଉପଲବ୍ଧ ହେବ । ଟ୍ରାନ୍ସପୋର୍ଟ ସଂସ୍ଥାଗୁଡ଼ିକ ମଧ୍ୟ ଏଠାରେ କାର୍ଯ୍ୟ କରିବ । ସହର ଉପକଣ୍ଠ ତଥା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ନିକଟବର୍ତ୍ତୀ ସ୍ଥାନରେ ଏହି ଟର୍ମିନାଲ ପ୍ରତିଷ୍ଠା ହେବ । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାରେ ବି ଟ୍ରକ ଟର୍ମିନାଲ କାର୍ଯ୍ୟ କରିବ ।

ପ୍ରଥମ ପର୍ଯ୍ୟାୟରେ ବନ୍ଦରାଞ୍ଚଳ, ଶିଳ୍ପାଞ୍ଚଳ ଓ ଖଣି ପରିବହନକାରୀ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି । ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଗଞ୍ଜାମ, କଟକ ଜିଲ୍ଲାର ସହର ଉପକଣ୍ଠରେ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ଆବଶ୍ୟକ ଜମି (୧୦ ଏକରରୁ ଅଧିକ) ଖୋଜା ଅଭିଯାନ ଆରମ୍ଭ ହୋଇଛି । ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ସମେତ ମୋଟ ୬ଟି ସ୍ଥାନରେ ଜମି ଚିହ୍ନଟ ହୋଇସାରିଛି । ଅନ୍ୟ ସ୍ଥାନଗୁଡ଼ିକରେ ଜମି ଚିହ୍ନଟ ଓ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି ।

ସୂଚନାଯୋଗ୍ୟ, ପ୍ରତି ଜିଲ୍ଲାରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ପାଇଁ ପରିବହନ ବିଭାଗ ଗତବର୍ଷ ଡିସେମ୍ବରରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା । ଏଥିରେ କୁହାଯାଇଥିଲା- ଟ୍ରକ ଟର୍ମିନାଲ କରିବା ପାଇଁ ପ୍ରତି ଜିଲ୍ଲାରେ ୧୦ରୁ ୨୦ ଏକର ବିଶିଷ୍ଟ ଗୋଟିଏ କିମ୍ବା ଦୁଇଟି ଜାଗା ଚିହ୍ନଟ କରିବା ପାଇଁ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଲାଗି ଜାଗା ଚିହ୍ନଟ କରିବାକୁ କୁହାଯାଇଥିଲା । ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ନେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏଯାଏ କିଛି ହେଲାନି । ବିଶ୍ୱ ଜନସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ତଥ୍ୟ ମୁତାବକ, ବିଶ୍ୱରେ ଯେତିକି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି, ତା’ର ୧୧% ଭାରତରେ ଘଟୁଛି । ଭାରତରେ ଯେତିକି ଟ୍ରାଫିକଜନିତ ମୃତ୍ୟୁ ଘଟୁଛି, ସେଥିରୁ ୬୧% ଜାତୀୟ ରାଜପଥରେ ହେଉଛି । ଅଧିକାଂଶ ଦୁର୍ଘଟଣା ବ୍ୟବସାୟିକ ଭାରୀଯାନ ବା ଟ୍ରକ ପାଇଁ ଘଟୁଛି । ପାର୍କିଂ ସ୍ଥାନ ନଥିବାରୁ ଅଧିକାଂଶ ସମୟରେ ଟ୍ରକ (୬ ଚକିଆରୁ ୨୨ ଚକିଆ) ରାସ୍ତା ଉପରେ ଛିଡ଼ା ହେଉଛନ୍ତି । ଓଡ଼ିଶାରେ ଦୁର୍ଘଟଣା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ । ଓଡ଼ିଶାରେ ୩୦% ସଡ଼କ ଦୁର୍ଘଟଣାର କାରଣ ଭାରୀଯାନ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଟ୍ରକ ପାର୍କିଂ ପାଇଁ ଟର୍ମିନାଲ କରିବାକୁ ଯୋଜନା ହୋଇଛି ।

ରାଜ୍ୟ ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ କହିଛନ୍ତି କଟକ ଜଗତପୁରରେ ଥିବା ଏକମାତ୍ର ସରକାରୀ ଟ୍ରକ ଟର୍ମିନାଲ ଅବସ୍ଥା ଅତି ଶୋଚନୀୟ । ବ୍ରହ୍ମପୁରରେ ଟ୍ରକ ମାଲିକମାନେ ନିଜସ୍ୱ ଉଦ୍ୟମରେ ଗୋଟିଏ ଟ୍ରକ ଟର୍ମିନାଲ କରିଛନ୍ତି । ବାକି କୌଣସି ଜାଗାରେ ଟ୍ରକ ପାର୍କିଂ ପାଇଁ ଟର୍ମିନାଲ ନାହିଁ । ସବୁ ଜିଲ୍ଲାରେ ଟ୍ରକ ଟର୍ମିନାଲ ହେବା ନିହାତି ଆବଶ୍ୟକ ।

nis-ad
Leave A Reply

Your email address will not be published.