ଶ୍ରୀମନ୍ଦିର ସୁରକ୍ଷା ଲାଗି କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦିଅ : ହାଇକୋର୍ଟ

କଟକ : ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଏହା ବ୍ୟତୀତ କୋଣାର୍କ ମନ୍ଦିରର ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ଲାଗି ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଖବର ଅନୁଯାୟୀ, ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କରେ ଦାୟର ହୋଇଥିବା ଦୁଇଟି ଭିନ୍ନ ଭିନ୍ନ ମାମଲାର ଏକତ୍ର ଶୁଣାଣୀ କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ଜଗମୋହନ ସମେତ ଅନେକ ପାର୍ଶ୍ଵ ମନ୍ଦିର ଗୁଡ଼ିକର ମରାମତି ଆବଶ୍ୟକ ହେଉଥିବା ବେଳେ ଏସବୁର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଯାହାର ଶୁଣାଣି କରିଛନ୍ତି ମାନ୍ୟବର କୋର୍ଟ ।

ସେହିପରି ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ବର୍ଷା ଦିନେ ଜଳାର୍ଣବ ହେଉଥିବାରୁ ମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ପୂର୍ବରୁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ । ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇନାହିଁ । ତେଣୁ ଆମିକସକ୍ୟୁରି ଉଭୟ ମନ୍ଦିର ଗସ୍ତ କରି ସବିଶେଷ ବିବରଣୀ ପ୍ରସ୍ତୁତ କରିବା ଏବଂ ଅକ୍ଟୋବର ୧୮ ତାରିଖ ପୂର୍ବରୁ କୋର୍ଟରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦେଶ ଦେଇଛନ୍ତି କୋର୍ଟ ।

nis-ad
Leave A Reply

Your email address will not be published.