ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଜୟବୀର ଶେରଗିଲ୍‌

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ଜୟବୀର ଶେରଗିଲ୍‌ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ଜୟବୀର ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଜନସାଧାରଣ ତଥା ଦେଶର ସ୍ବାର୍ଥ ପାଇଁ ଦଳରେ ଆଉ ନିଷ୍ପତ୍ତି ନିଆଯାଉନାହିଁ।

ଏଥିପାଇଁ ମୁଁ ଦୁଃଖିତ। ଯେଉଁମାନେ ତୋଷାମଦରେ ଲିପ୍ତ ରୁହନ୍ତି ସେମାନେ ତୃଣମୂଳ ସ୍ତରକୁ ଅଣଦେଖା କରନ୍ତି। ଦଳରେ ମୁଁ ଆଉ ଯୁବପିଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦେଖି ପାରୁ ନାହିଁ।
ଜୟବୀର ଦୀର୍ଘ ଦିନ ହେବ କଂଗ୍ରେସ ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ। ତାଙ୍କୁ କିଛି ଦିନ ପୂର୍ବରୁ ଦଳ ଏକ ଖବରଦାତା ସମ୍ମିଳନୀ କରିବାକୁ ଅନୁମତି ଦେଇ ନ ଥିଲା। ଏହି କାରଣରୁ ବୁଧବାର ସେ କଂଗ୍ରେସ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଜୟବୀର ପେଶାରେ ଜଣେ ଓକିଲ। ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିବା କଂଗ୍ରେସ କର୍ମୀଙ୍କୁ ସହାୟତା ଯୋଗାଇବା ପାଇଁ ସେ ୨୪ ଘଣ୍ଟିଆ ଲିଗାଲ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ଲଞ୍ଚ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହା ବ୍ୟତୀତ ତାଙ୍କୁ ଅନେକ ସମୟରେ ଟିଭି ବିତର୍କରେ ଦଳକୁ ସମର୍ଥନ କରୁଥିବା ଦେଖିବାକୁ ମିଳେ।
ସୂଚନାଯୋଗ୍ୟ, ଆଜିକାଲି କଂଗ୍ରେସରେ ସବୁ ଠିକ ଚାଲିନାହିଁ। ଜୟବୀରଙ୍କ ପୂର୍ବରୁ ଅନେକ ନେତା ମଧ୍ୟ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ କଂଗ୍ରେସ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ପ୍ରଚାର କମିଟିର ମୁଖ୍ୟ ଭାବରେ ନିଯୁକ୍ତ କରିଛି, କିନ୍ତୁ ସେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ମଧ୍ୟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ୟୁନିଟର ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

nis-ad
Leave A Reply

Your email address will not be published.