ଭୁବନେଶ୍ୱର ଓ ରାଉରକେଲାରେ ହକି ପ୍ରୋ ଲିଗ୍‌ : ଅକ୍ଟୋବର ୨୮ରୁ ଆରମ୍ଭ ହେବ ସିଜନ

ଭୁବନେଶ୍ୱର/ରାଉରକେଲା: ସୁନ୍ଦରଗଡ଼ର ହକିପ୍ରେମୀଙ୍କ ପାଇଁ ଖୁସିର ଖବର । ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ୱକପ୍‌ ଶେଷ ହେବା ପରେ ରାଉରକେଲାରେ ମାର୍ଚ୍ଚ ମାସରେ ଖେଳାଯିବ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ଆଜି ୨୦୨୨-୨୦୨୩ ପୁରୁଷ ପ୍ରୋ ଲିଗ୍‌ ସିଜନର ସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଛି । ଭାରତୀୟ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାକୁ ଘରୋଇ ଭେନ୍ୟୁ ଭାବେ ନେଇ ଖେଳିବ ।

ଆଗାମୀ ପ୍ରୋ ଲିଗ୍‌ ସିଜନ ଆସନ୍ତା ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଭାରତ ଚଳିତ ବର୍ଷ ସମସ୍ତ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଆସନ୍ତା ଅକ୍ଟୋବର ୨୮ରୁ ଦଳ ସିଜନ ଆରମ୍ଭ କରିବ । ନ୍ୟୁଜିଲାଣ୍ଡ ଓ ସ୍ପେନ ଏକସଙ୍ଗରେ ଓଡ଼ିଶା ଗସ୍ତରେ ଆସି ଘରୋଇ ଦଳ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବା ସହ ପରସ୍ପରକୁ ଦୁଇ ଥର ଲେଖାଏଁ ଭେଟିବେ । ଭାରତ ସିଜନର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଘରୋଇ ଭେନ୍ୟୁରେ ଭାରତ ମୋଟ୍‌ ୮ଟି ମ୍ୟାଚ୍‌ ଖେଳିବ । ରାଉରକେଲାରେ ୪ଟି ଏବଂ ଭୁବନେଶ୍ୱରରେ ମଧ୍ୟ ୪ଟି ମ୍ୟାଚ୍‌ ଖେଳିବାର ସୂଚୀ ରହିଛି । ଭୁବନେଶ୍ୱରରେ ନ୍ୟୁଜିଲାଣ୍ଡ ଓ ସ୍ପେନ ବିପକ୍ଷରେ ଏବଂ ରାଉରକେଲାରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷରେ ଖେଳିବ ।

ଜାନୁଆରୀ ମାସରେ ହକି ବିଶ୍ୱକପ୍‌ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଘରୋଇ ପ୍ରୋ ଲିଗ୍‌ ମ୍ୟାଚ୍‌ ମାର୍ଚ୍ଚ ମାସରେ ଖେଳାଯିବ । ଏହି ମ୍ୟାଚ୍‌ ରାଉରକେଲାରେ ଖେଳାଯିବ । ଅଷ୍ଟ୍ରେଲିଆ ଓ ଜର୍ମାନୀ ରାଉରକେଲା ଗସ୍ତ କରି ଘରୋଇ ଦଳକୁ ଭେଟିବେ । ଭୁବନେଶ୍ୱର ଭଳି ରାଉରକେଲାରେ ମଧ୍ୟ ୬ଟି ମ୍ୟାଚ୍‌ ଖେଳାଯିବ । ଭାରତ ମାର୍ଚ୍ଚ ୧୦ ତାରିଖରେ ଜର୍ମାନୀକୁ ଭେଟିବ ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ରାଉରକେଲାରେ ନିର୍ମାଣ ଚାଲିଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ଏଥିପାଇଁ ରାଜ୍ୟ ସରକାର ୧୨୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଗାମୀ ହକି ବିଶ୍ୱକପ୍‌ର କିଛି ମ୍ୟାଚ୍‌ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ମାସକ ମଧ୍ୟରେ ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ରାଜ୍ୟ କ୍ରୀଡ଼ା ସଚିବ ଗତ ସୋମବାର ଦିନ ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଥିଲେ ।

nis-ad
Leave A Reply

Your email address will not be published.