ଅନୁବ୍ରତ ମଣ୍ଡଳଙ୍କୁ ଖଲାସ କରିବାକୁ ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ ଧମକପୂର୍ଣ୍ଣ ଚିଠି

କୋଲକାତା: ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସ୍‌ ନେତା ଅନୁବ୍ରତ ମଣ୍ଡଳଙ୍କୁ ଛାଡ଼ିବା ପାଇଁ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି। ପଶ୍ଚିମବଙ୍ଗର ଆସନସୋଲରେ ଥିବା ଗୋଟିଏ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଯଦି ସେ ଅନୁବ୍ରତ ମଣ୍ଡଳଙ୍କୁ ଖଲାସ କରିବାରେ ସହଯୋଗ ନ କରିବେ, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ମିଥ୍ୟା ଏନଡିପିଏସ କେସରେ ଫସାଇ ଦିଆଯିବ ବୋଲି ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ ଧମକ ମିଳିଥିବା ଖବର ପ୍ରକାଶ ପାଇଛି।
ସ୍ୱତନ୍ତ୍ର ଜଜ ରାଜେଶ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖକୁ ବାପ୍ପା ଚାଟାର୍ଜୀ ନାମକ କୌଣସି ବ୍ୟକ୍ତି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି। ଯଦି ମଣ୍ଡଳ ଜାମିନ ବଳରେ ତୁରନ୍ତ ଖଲାସ ନ ହେବେ, ତା’ହେଲେ ତାଙ୍କ ପରିବାର ଲୋକ ଡ୍ରଗ୍ସ କାରବାର ମାମଲାରେ ଫସିବେ। ସେମାନେ ଡ୍ରଗ୍ସ ବ୍ୟବସାୟ କରୁଥିବାରୁ ସମସ୍ତଙ୍କ ନାଁରେ ଏନଡିପିଏସ ବଳରେ ମାମଲା କରାଯିବ। ସେ ନିଜର ଅଭିଯୋଗ ପତ୍ର ସହ ଧମକପୂର୍ଣ୍ଣ ଚିଠିକୁ ଆଟାଚ କରି ପଶ୍ଚିମ ବର୍ଦ୍ଧମାନର ଜିଲ୍ଲା ଜଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ଏହି ମାମଲା କ୍ୟାଲକାଟା ହାଇକୋର୍ଟଙ୍କ ମଧ୍ୟ ବିଚାରକୁ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ଜଜ୍‌ ଚକ୍ରବର୍ତ୍ତୀଙ୍କ ପାଖକୁ ଆସିଥିବା ଚିଠିରେ ବାପ୍ପା ବାନାର୍ଜୀ ନିଜକୁ ଟିଏମସିର ଜଣେ ନେତା ଭାବେ ଦାବି କରିଛନ୍ତି। ଏଥିରେ ତାଙ୍କ ଦସ୍ତଖତ ମଧ୍ୟ ରହିଛି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ସିବିଆଇ ଜଜ ଲେଖିଥିବା ଅଭିଯୋଗପତ୍ରକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି।
ସେ କହିଛନ୍ତି, “ଆସନସୋଲର ସିବିଆଇ ଜଜ୍‌ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ତାଙ୍କୁ ଅପରାଧୀ ଅନୁବ୍ରତ ମଣ୍ଡଳଙ୍କୁ ଜାମିନ ଦେବାକୁ କୁହାଯାଇଛି। ଯଦି ସେ ଏପରି ନ କରିବେ, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ଏନଡିପିଏସ୍‌ କେସ୍‌ ଫସାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଜଜ ଜଣଙ୍କ ଜିଲ୍ଲା ଜଜ ଓ ହାଇକୋର୍ଟଙ୍କୁ ଏ ବିଷୟରେ ଜଣାଇଛନ୍ତି। ମମତା ବାନାର୍ଜୀ ଗିରଫଦାରୀ ପରେ ମଧ୍ୟ ଅନୁବ୍ରତ ମଣ୍ଡଳଙ୍କୁ ସମର୍ଥନ କରୁଛନ୍ତି।”

nis-ad
Leave A Reply

Your email address will not be published.