ବିପଦ ସଙ୍କେତ ଉପରେ ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ଏବଂ ପାଇକା ନଦୀ

ହୀରାକୁଦ ଜଳଭଣ୍ଡାର ଛଡ଼ାଯାଇଥିବା ବନ୍ୟାଜଳ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଗରଦପୁର ବ୍ଲକରେ ପ୍ରବାହିତ ହେଉଥିବା ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ଏବଂ ପାଇକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ମାର୍ଶାଘାଇ ବ୍ଲକର ଲୁଣା ଏବଂ କରାଣ୍ଡିଆ ନଦୀରେ ବନ୍ୟା ଆସି ଆୟତିପୁର ପଞ୍ଚାୟତର ଆଇତିପୁର, ଡିହ, ବଳରାମପୁର ଏବଂ ବାଳିସିଂ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଯୋଗ ଲୋକେ ଜଳବନ୍ଦୀ ଅଛନ୍ତି ।

ମାର୍ଶାଘାଇ ଭଳି ଗରଦପୁର ବ୍ଲକରେ ବନ୍ୟା ସ୍ଥିତି ଭୟାନକ ହୋଇଛି । ଗରଦପୁର ତେଣ୍ଡାକୁଡା ପଞ୍ଚାୟତ ଦେଇ ବହୁଥିବା ପାଇକା ନଦୀବନ୍ଧରେ ଘଳିଆ ପଡିଛି । ନଦୀବନ୍ଧରେ ପଡିଥିବା ଘଳିଆକୁ ବନ୍ଦ କରିବାକୁ ମାଟି, ବାଲି ବସ୍ତା ପକାଇ ପାଣି ବନ୍ଦ କରିବାକୁ ଉଦ୍ୟମ ହେଉଛି । ବଡନୟନପୁର ଇଟାଭାଟି ନିକଟରେ ପାଇକାର ନଦୀବନ୍ଧରେ ଘଳିଆ ପଡିଥିବା ସ୍ଥାନରେ ପ୍ରାୟ ୫୦୦ରୁ ଅଧିକ ବାଲିବସ୍ତା ପକାଯାଇଛି । ଘଳିଆ ମରାମତି କାମରେ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟର ଓ ଶହ ଶହ ଯୁବକ ଲାଗିଛନ୍ତି । ତେବେ ସମୟ ବଢିବା ସହ ଆହୁରି ପାଣି ଆସୁଥିବାରୁ ଇଟାଭାଟି ନିକଟରେ ପଡିଥିବା ଘଳିଆକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଜିଲ୍ଲାର ବନ୍ୟା ପରିସ୍ଥିତି ବୁଲି ଦେଖିଛନ୍ତି ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଓ ଉପଜିଲ୍ଲାପାଳ । ଲୁଣା- କରଣ୍ଡିଆ, ପାଇକ,ଚିତ୍ରୋପଳାର ବନ୍ୟା ସ୍ଥିତି ବାବଦରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ବନ୍ୟା ପ୍ରଭାବିତ ଆଶଙ୍କାରେ ଥିବା ଗାଁ ଗୁଡିକରେ ଥଇଥାନ କରି ରାସନ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରିବା ସହ ନାଇଟ୍ ପେଟ୍ରୋଲିଂ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

nis-ad
Leave A Reply

Your email address will not be published.