ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ

ପିପିଲି: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ଚାଲିଗଲା ଜଣଙ୍କ ଜୀବନ। ଆହତ ହୋଇଛନ୍ତି ୧୫ ଜଣ । ଆଜି ଅପରାହ୍ନ ୫ଟାରେ ପିପିଲି ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣକ ବସ୍‌ର ହେଲପର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପୂରା ପରିଚୟ ମିଳିପାରିନି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା।

୧୩ ଜଣ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବଂ ଅତି ଗୁରୁତର ଥିବା ୨ ଜଣ ମହିଳାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ସାରଳା ନାମକ ଏହି ବସ୍ ପ୍ରତିଦିନ ଭଳି ଯାତ୍ରୀ ନେଇ ଭୁବନେଶ୍ୱରରୁ ଅସ୍ତରଙ୍ଗ ଯାଉଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସ୍‌ଟି ପିପିଲି ଟୋଲ ଗେଟ୍ ପାସ୍ କରି ମାତ୍ର ଅଳ୍ପ କିଛି ମିଟର ଯାଇଥିବା ବେଳେ ତା’ ସାମ୍ନାକୁ ଏକ କାର୍ ହଠାତ୍ ପଶି ଆସିଥିଲା। ଏହି ସମୟରେ ଡ୍ରାଇଭର ବ୍ରେକ୍ ଦେଇ ବସ୍‌କୁ ରୋକିବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ଦ୍ରୁତଗତିରେ ଥିବା ବସଟି ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା ଓ ଓଲଟି ପଡ଼ିଥିଲା।

ବସ୍‌ଟି ଓଲଟି ପଡ଼ିବା ପରେ ହେଲପର ତା’ ତଳେ ଚାପି ହୋଇଯାଇଥିଲେ ଓ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଏହି ଦୁର୍ଘଟଣାରେ କାର୍‌ଟିର କୌଣସି କ୍ଷତି ହୋଇନି।

nis-ad
Leave A Reply

Your email address will not be published.