ମହାରାଷ୍ଟ୍ରରେ ବିଜେପି ଯାହା କଲା ତାର ଫଳ ବିହାରରେ ମିଳିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ବିହାରରେ ଦେଖାଯାଇଛି ରାଜନୀତିକ ହଟଚମଟ। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟକୁ ଭାଙ୍ଗି ବିଜେପି ସରକାର ଗଠନ କରିଛି। ମହାରାଷ୍ଟ୍ର ବିଧାନସଭାରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନା ହାତ ଛାଡ଼ି ଦେବାରୁ ଦଳକୁ ବିରୋଧୀ ଆସନରେ ବସିବାକୁ ପଡ଼ିଥିଲା। ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିଥିଲେ। ହେଲେ ସେମାନଙ୍କ ଶାସନର ଅଢ଼େଇ ବର୍ଷ ପରେ ସୃଷ୍ଟି ହୋଇଥିଲା ଝଡ଼। ବିଜେପି କଥାରେ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ କରିବାରୁ ଏମଭିଏ ସରକାର ଭାଙ୍ଗି ଯାଇଥିଲା। ଏଥିସହ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଧରି ବିଜେପି ନିକଟରେ ସରକାର ଗଠନ କରିଛି।
କିନ୍ତୁ ବିହାରରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳ ସହ ମିଶି ସରକାର ଗଠନ କରିଥିବା ଜେଡିୟୁ ଏବେ ବିଜେପିର ହାତ ଛାଡ଼ି ଦେଇଛି। ବିଜେପି ୭୭ଟି ଆସନ ଜିତିଥିବାରୁ ୪୫ ଆସନରେ ସୀମିତ ଥିବା ଜେଡିୟୁକୁ ଦଳର ନେତାମାନେ ସବୁବେଳେ ଧମକ ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ହାତ ଛାଡ଼ି ଦେଇଛନ୍ତି।
ବିହାରରେ ମେଣ୍ଟ ସରକାର ଭାଙ୍ଗିଥିବା ଜେଡିୟୁ ନେତା ଉପେନ୍ଦ୍ର କୁଶୱା ଶପଥ କରିଛନ୍ତି। ଏଥିସହ ଜେଡିୟୁ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, କଂଗ୍ରେସ ଓ ସିପିଆଇଏମ(ଏଲ) ସହ ମିଶି ନୂଆ ସରକାର ଗଠନ କରିବ ବୋଲି ସେ ସୂଚନା ଦେଇଛନ୍ତି। ମେଣ୍ଟ ଭାଙ୍ଗିଥିବାରୁ ଅପରାହ୍ନ ପ୍ରାୟ ୪ଟା ବେଳେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏନେଇ ସେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଆରଜେଡି ସର୍ବାଧିକ ଆସନ ଜିତିଥିଲା। ହେଲେ ଜେଡିୟୁ ଓ ବିଜେପି ମିଳି ଭାବେ ସରକାର ଗଠନ କରିଥିଲେ। ଏବେ ଅଢ଼େଇ ବର୍ଷ ପରେ ଜେଡିୟୁ ମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। ଦଳ ପାଖରେ ଏବେ ୭୯ ଜଣ ବିଧାୟକ ରହିଛନ୍ତି। ଯଦି ଏହି ୭୯ ଜଣ ଜେଡିୟୁଙ୍କୁ ସମର୍ଥନ ଦିଅନ୍ତି, ତା’ହେଲେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୨୨କୁ ନୀତୀଶ କୁମାର ବେଶ ସହଜରେ ହାସଲ କରିପାରିବେ।
ଏହି ଦୁଇ ଦଳ ବ୍ୟତୀତ କଂଗ୍ରେସର ୧୯ ଜଣ, ସିପିଆଇଏମଏଲର ୧୨ ଜଣ, ସିପିଏମର ୨ ଜଣ, ସିପିଆଇର ୨ ଜଣ, ଏଆଇଏମଆଇଏମର ଜଣେ ସଦସ୍ୟ ରହିଛନ୍ତି। ଏମାନେ ସମସ୍ତେ ମିଳିତ ଭାବେ ବିଜେପି ବିରୋଧରେ ରହିଛନ୍ତି। ବିଜେପି ପାଖରେ ୭୭ ଜଣ ବିଧାୟକ ଥିବା ବେଳେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ୪ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ଏନଡିଏ ସହ ରହିଛନ୍ତି।
ତେଣୁ ନୀତୀଶ କୁମାର ଇସ୍ତଫା ଦେଇ ପୁଣି ସରକାର ଗଠନ ପାଇଁ ଦାବି ଜଣାଇ ପାରନ୍ତି। ସେ ପ୍ରଥମ ଇସ୍ତଫା ଦେବାକୁ ଚାହୁଁ ନଥିଲେ। ହେଲେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ପଦ ଛାଡ଼ିବାକୁ ରାଜି ହୋଇ ନଥିଲେ। ସେମାନେ ଜିଦ କରିବାରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.