ଗଣମାଧ୍ୟମ କୌଣସି ପ୍ରକାର ଭୟ ନରଖି ନିଜ କାର୍ଯ୍ୟ ସମ୍ପାଦନ କରିବା ଉଚିତ: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମ ବିଭୂଷଣ ପ୍ରତିଭା ରାୟ ଯୋଗଦେଇ ଓଡ଼ିଶାର ବିକାଶ, ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର, ପ୍ରଜା ଆନ୍ଦୋଳନ ଓ ନୂତନ ସାହିତ୍ୟିକ ସୃଷ୍ଟି କରିବାରେ ପ୍ରଜାତନ୍ତ୍ରର ଭୂମିକା ଉପରେ ଆଲୋକ ପାତ କରିଥିଲେ। ସ୍ୱର୍ଗତ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ଵାରା ୧୯୨୩ ମସିହାରେ ପ୍ରଥମେ ପ୍ରଜାତନ୍ତ୍ର ପ୍ରକାଶିତ ହୋଇଥିଲେ ମଧ୍ୟ ଇଂରେଜ ସରକାର ପ୍ରକାଶନ ବନ୍ଦ କରି ଦେଇଥିଲେ।

ପରବର୍ତ୍ତୀ ସମୟରେ ଦେଶ ସ୍ଵାଧୀନ ହେବାର ୭ ଦିନ ପୂର୍ବରୁ ୧୯୪୭ ମସିହା ଅଗଷ୍ଟ ୮ ତାରିଖରେ ପୁନଃ ପ୍ରକାଶିତ ହୋଇଥିଲା ପ୍ରଜାତନ୍ତ୍ର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣରେ କହିଥିଲେ, ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ । ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀ ମାନଙ୍କୁ ମୋର ପ୍ରଣାମ ଜଣାଉଛି।ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ। ଏହି ଖୁସି ଅବସରରେ ଆପାଣମାନଙ୍କୁ ସମସ୍ତଙ୍କୁ, ପ୍ରଜାତନ୍ତ୍ର ପରିବାରକୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଓଡିଶାକୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମ କୌଣସି ପ୍ରକାର ଭୟ କିମ୍ବା ଅନୁଗ୍ରହ ଠାରୁ ଦୂରରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା ଉଚିତ। ଗଣମାଧ୍ୟମ ଲୋକଙ୍କ ରାଜନୀତି ଠାରୁ ଦୂରେଇ ରହି ଲୋକଙ୍କ ସମସ୍ୟାର ମୁଖପତ୍ର ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ପ୍ରଜାତନ୍ତ୍ର ସ୍ୱନକ୍ଷତ୍ର ଉତ୍ସବରେ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ ଉଦଘାଟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଭୂମିର ଯୋଗ୍ୟ ସନ୍ତାନ କହି ସମ୍ବୋଧନ କରିଥିଲେ । ଧର୍ମେନ୍ଦ୍ରଙ୍କୁ ନିଜର ମିତ୍ର ବୋଲି କହିବା ସହ ଭର୍ତୃହରିଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ବୋଲି ଅଭିହିତ କରିଥିଲେ ଅମିତ୍ ଶାହା । ଅମିତ ଶାହା କହିଥିଲେ ମୁଁ ଭାରତର ପଶ୍ଚିମ ଭୂମିରୁ ଆସି ପୂର୍ବ ଭୂମିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ପାଦ ରଖିଛି। ସେଠାରେ ବି ଜଗନ୍ନାଥ, ଏଠି ବି ଜଗନ୍ନାଥ ଅଛନ୍ତି ।ମୁଁ କେବଳ ଭର୍ତୃହରିଙ୍କୁ ଶୁଭେଚ୍ଛା ପାଇଁ କଟକ ଆସିଛି। ପ୍ରଜାତନ୍ତ୍ର ଓ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି।

ଦେଶ ସ୍ଵାଧୀନତାର ଶତାବ୍ଦୀ ଓ ପ୍ରଜାତନ୍ତ୍ରର ଶତାବ୍ଦୀକୁ ଆଉ ୨୫ ବର୍ଷ ବାକି ରହିଛି। ଏଇ ମାଟିରେ ଜନ୍ମ ହୋଇଥିବା ଝିଅ ଦ୍ରୌପଦୀ ମୁର୍ମୁ, ଆଜି ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ଗରିବରୁ ଅତି ଗରିବ ଘରୁ ଆସି, ପ୍ରଥମ ଆଦିବାସୀ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇପାରିଛନ୍ତି। ଏବେ ଓଡ଼ିଶାର ଉତ୍ତମ ଦିନ ଆସିଯାଇଛି ବୋଲି ସେ କହିଥିଲେ। ସ୍ଵାଧୀନତା ପରେ ଓଡ଼ିଆଙ୍କୁ ଏତେ ଗୁରୁତ୍ୱ ଓ ସମ୍ମାନ ମିଳି ନ ଥିଲା । ରାଷ୍ଟ୍ରପତି ଙ୍କ ଠାରୁ ନେଇ କେନ୍ଦ୍ରୀୟ ସର୍ବୋଚ୍ଚ ପଦବୀରେ ଏବେ ଓଡ଼ିଶାର ବ୍ୟକ୍ତି ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ଵାରା ବିକାଶ ତ୍ୱରାନ୍ୱିତ ହେବ ବୋଲି ଅମିତ ଶାହା କହିଥିଲେ। ଓଡ଼ିଶାରେ ସବୁ ଅଛି। ପ୍ରାକୃତିକ ସମ୍ପଦ ଠୁ ନେଇ ପ୍ରାଚୁର୍ଯ୍ୟ ଓ ପର୍ଯ୍ୟଟନ ସବୁ ଏଠାରେ ରହିଛି ।

ଓଡିଶା ପ୍ରଦେଶର ସଂସ୍କୃତି ଉଚ୍ଚ କୋଟିର ଓ ଏହାକୁ ଆମକୁ ଆଗକୁ ନେବାକୁ ପଡ଼ିବ । ସେହିପରି ରାଜଭାଷା ହିନ୍ଦୀକୁ ଆଗକୁ ନେବାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ହାତ ରହିଛି ବୋଲି ଅମିତ୍ ଶାହା ନିଜ ଅଭିଭାଷଣ ରେ କହିଥିଲେ। ଏହି ସଭାରେ ସଭାପତିତ୍ୱ କରି ପ୍ରଜାତନ୍ତ୍ରର ସମ୍ପାଦକ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଧୀନତା ସଂଗ୍ରାମରେ ପ୍ରଜାତନ୍ତ୍ର ଓ ଡ଼ ହରେକୃଷ୍ଣ ମହତାବଙ୍କ ଭୂମିକା ସମ୍ପର୍କରେ କହିବା ସହ ପ୍ରଜାତନ୍ତ୍ରର ୭୫ ବର୍ଷର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଶେଷରେ ପ୍ରଜାତନ୍ତ୍ର ଟ୍ରଷ୍ଟର ନୂତନ ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.