ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଅଚଳାଚଳ ସମ୍ପତ୍ତି, ଭିଜିଲାନ୍ସ ର ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଲାଗିଛି ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଅଚାଳାଚଳ ସମ୍ପତ୍ତି। ଯାହା ପରେ ଚର୍ଚ୍ଚାକୁ ଆସିଛନ୍ତି ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷକାନ୍ତ ପାଣି। ସେ ଆୟବର୍ହିଭୂତ ସମ୍ପତ୍ତି ଠୁଅ କରିଥିବା ଅଭିଯୋଗ ଆଧାରରେ ଆଜି ସକାଳୁ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଶ୍ରୀ ପାଣି ଓ ତାଙ୍କ ପରିବାର ନାମରେ ବିପୁଳ ସମ୍ପତ୍ତି ଠୁଳ ଥିବା ଚଢ଼ଉ ପରେ ଭିଜିଲାନ୍ସ ସୂଚନା ଦେଇଛି। ଯାହା ଭିତରେ ଭୁବନେଶ୍ୱର ପ୍ରମୁଖ ଅଞ୍ଚଳରେ ରହିଥିବା ୧୧ଟି ପ୍ଲଟ ଠାବ କରାଯାଇଛି। ଯାହା ମୂଲ୍ୟ ପାଖାପାଖି ୩.୭୦ କୋଟି ହେବ ବୋଲି ରେଜିଷ୍ଟାର ସେଲ ଡିଡ୍‌ରୁ ଜଣାପଡ଼ିଛି। ଏହାଛଡ଼ା ଭୁବନେଶ୍ୱର ଚନ୍ଦ୍ରଶେଖରପୁରରରେ ଏକ ତିନି ମହଲା କୋଠା, ଭୁବନେଶ୍ୱର ଅନ୍ଧାରୁଆରେ ଏକ ଫାର୍ମ ହାଉସ୍, ଭୁବନେଶ୍ୱର ଚକେଇସିହାଣୀରେ ଏକ ମହଲା କୋଠା, ଯାଜପୁର ରୋଡ଼୍‌ ବ୍ୟାସନଗର ସହରର ଚୋରଦା ଛକଠାରେ ୩ଟି ତିନି ମହଲା କୋଠା ଓ ଗୋଟିଏ ଏକ ମାହଲା କୋଠା ମଧ୍ୟ ଠାବ କରାଯାଇଛି। ଏହି ସମ୍ପତ୍ତିର ପ୍ରକୃତ ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ ଚାଲିଛି।

ଏହାଛଡ଼ା ୫୩.୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍‌ସୁରାନ୍ସ ଡିପୋଜିଟ୍ ସମେତ ୬ ଦାମୀ ଚାରିଚକିଆ କାର ଓ ୩୮୭ ଗ୍ରାମର ସୁନା ଧରପଗଡ଼ରେ ମିଳିଛି। କାରଗୁଡ଼ିକର ମୋଟ ଦାମ୍ ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି।

ଏହି ସମ୍ପତ୍ତି ଠୁଳ କରିବା ନେଇ ଶ୍ରୀ ପାଣିଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି।

ସୂଚନାଯୋଗ୍ୟ, ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ ଜାରି ରହିଛି। ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରୁଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।

ତେବେ ଜିଏସ୍‌ଟି ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ ସବୁଠାରୁ ବେଶୀ ଅଲୋଚନାର ବିଷୟ ହୋଇଛି।

nis-ad
Leave A Reply

Your email address will not be published.