ବାସି ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦଧିବାମନପୁର ଗାଁରେ ବାସି ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଦୀପ କୁମାର ଦାସ। ପରିବାରର ଅନ୍ୟ ୪ଜଣଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଗତ ରବିବାର ଦିନ କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁର ଯୁଧିଷ୍ଠିର ଦାସଙ୍କ ପକ୍କା ଘର ତିଆରି ପାଇଁ ବୋରିଂ କରାଯାଇଥିଲା। ସେଥିପାଇଁ କାମ କରୁଥିବା ଶ୍ରମିକ ଓ ପରିବାର ଲୋକଙ୍କ ପାଇଁ ଏକତ୍ର ରୋଷେଇ ହୋଇଥିଲା। ଦିନରେ ସମସ୍ତେ ଖାଇଥିଲେ। ଯାହା ବଳି ଯାଇଥିଲା, ସେହି ଖାଦ୍ୟକୁ ରାତିରେ ଗରମ କରି ପରିବାରର ସମସ୍ତେ ଖାଇଥିଲେ। ଖାଦ୍ୟ ଖାଇବା ପରେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ରାତିରେ ସମସ୍ତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସାମାନ୍ୟ ସୁସ୍ଥ ହୋଇଥିଲେ। ଏହା ପରେ ସେମାନେ ସୋମବାର ସକାଳେ ଘରକୁ ଫେରିଥିଲେ।

ଘରେ ପହଞ୍ଚିବା ପରେ ପୁଣି ଥରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଆଉ ଥରେ ସିମୁଳିଆ ମେଡିକାଲକୁ ଆସିଥିଲେ। ତେବେ ସେଠାରେ ୬ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠିରଙ୍କ ମାଆ ଲକ୍ଷ୍ମୀ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଥିଲା। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଥିବା ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

nis-ad
Leave A Reply

Your email address will not be published.