ମୋ ଘରେ ୫୦ କୋଟି ଟଙ୍କା ରଖାଯାଇଥିବା କଥା ମୁଁ ଜାଣିନଥିଲି : ଅର୍ପିତା ମୁଖାର୍ଜୀ

ନୂଆଦିଲ୍ଲୀ: ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ବଡ଼ ବୟାନ ଦେଇଛନ୍ତି। ତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ମିଳିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ତାଙ୍କ ଘରୁ ଏତେ ପରିମାଣର ଟଙ୍କା ମିଳିଥିଲେ ମଧ୍ୟ ସେ ଏ ବିଷୟରେ କିଛି ଜାଣିନାହାନ୍ତି। ତାଙ୍କୁ ନ ଜଣାଇ ତାଙ୍କ ଘରେ ଏତେ ଟଙ୍କା ରଖାଯାଇଥିଲା ବୋଲି ସେ ଇଡି ଅଧିକାରୀମାନଙ୍କୁ କହିଛନ୍ତି।
ଗିରଫ ପରେ ଇଡି ହେପାଜତରେ ଥିବା ଅର୍ପିତାଙ୍କୁ ଅଧିକାରୀମାନେ ଗୁଡ଼ାଇ ତୁଡ଼ାଇ ଜେରା କରିବାରେ ଲାଗିଛନ୍ତି। ଏହି ସମୟରେ ସେ ଚାଞ୍ଚଲ୍ୟକର ତଥ୍ୟ ଦେବାରେ ଲାଗିଛନ୍ତି। ଇଡି ଅର୍ପିତାଙ୍କର ଟୋଲିଗଞ୍ଜ ଓ ବେଲଘରିଆରେ ଥିବା ଦୁଇଟି ଫ୍ଲାଟରୁ ମୋଟ ୪୯.୮ କୋଟିର ନଗଦ ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଛି। ହେଲେ ଏହି ଟଙ୍କା ତାଙ୍କର ନୁହେଁ ଓ ସେ ଘରେ ନଥିବା ବେଳେ ଏତେ ପରିମାଣର ଟଙ୍କା ସେଠାରେ ରଖାଯାଇଥିବା ଅର୍ପିତା କହିଛନ୍ତି।
ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାର ତଦନ୍ତ କରି ଇଡି କୋଲକାତାର ଏକାଧିକ ସ୍ଥାନରେ ରେଡ୍‌ କରିଥିଲା। ଏହାପରେ ପାର୍ଥ ଚାଟାର୍ଜୀ ଓ ପରେ ତାଙ୍କ ସହଯୋଗୀ ଅର୍ପିତାଙ୍କୁ ଗିରଫ କରିଥିଲା। ଇଡି ଉଭୟ ପାର୍ଥ ଓ ଅର୍ପିତା ମୁଖାର୍ଜୀଙ୍କୁ ୩ ତାରିଖ ଯାଏ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ଼ କରୁଛି। ପ୍ରାଥମିକ ଅବସ୍ଥାରେ ଘରୁ ମିଳିଥିବା ୫୦ କୋଟି ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା କହୁଥିଲେ। ହେଲେ ଏବେ ସେ କଥା ବଦଳାଇ ତାଙ୍କ ଅଜାଣତରେ କେହି ଏତେ ପରିମାଣର ଟଙ୍କା ତାଙ୍କ ଘରେ ରଖି ଦେଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ପାର୍ଥ ଚାଟାର୍ଜୀ ଇଡିର ଜେରା ବେଳେ ସହଯୋଗ କରୁ ନଥିବା ଜଣାପଡ଼ିଛି। ଅର୍ପିତାଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ଟଙ୍କା ତାଙ୍କର ନୁହେଁ ବୋଲି ପାର୍ଥ ବାରମ୍ବାର ଦାବି କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଡି ଏବେ ବିଭିନ୍ନ ସିସିଟିଭି ଯାଞ୍ଚ କରୁଛି। ଏତେ ପରିମାଣର ଟଙ୍କା କେମିତି ଅର୍ପିତାଙ୍କ ଘରକୁ ଆସିଲା, ସେକଥା ଜାଣିବା ପାଇଁ ଇଡିର ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.