ସୁନ୍ଦରଗଡ଼ ମାଟିର ପୁଅ ଦୟାନିଧି ତନ୍ତୀ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳର ଡି.ଆଇ.ଜି


ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାର ସବଡେଗାରେ ଜନ୍ମିତ ଓଡ଼ିଆ ପୁଅ ଦୟାନିଧି ତନ୍ତୀ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ )ର ଡିଆଇଜି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହା ସୁନ୍ଦରଗଡ଼ ଏବଂ ଓଡିଶା ପ୍ରତି ଗର୍ବ ଓ ଗୌରବର ବିଷୟ ହୋଇପାରିଛି।କେନ୍ଦ୍ରୀୟ ସୁରକ୍ଷା ବଳରେ ୧୯୯୩ ସେ ଡି.ଏ.ଜି.ଓ. (ଡାଇରେକ୍ଟଲି ଆପୋଏଣ୍ଟମେଣ୍ଟ ଗେଜେଟେଡ୍ ଅଫିସର) ପଦବୀରେ ନିଯୁକ୍ତି ପାଇଥିବା ଶ୍ରୀ ତନ୍ତୀ ଦୀର୍ଘ ୧୪ମାସର ପ୍ରଶିକ୍ଷଣ ସମୟରେ କମାଣ୍ଡୋ ପ୍ରଶିକ୍ଷଣ ସହିତ ମାଉଣ୍ଟଆବୁ ର ପର୍ବତାରୋହଣରେ ପ୍ରଶିକ୍ଷଣ ଗ୍ରହଣ କରିବା ପରେ ‘ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଆତଙ୍କବାଦ ଅଧ୍ଯୁଷିତ ଜମ୍ମୁକାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ଦେଶର ଅନ୍ଯାନ୍ଯ ସମ୍ବେଦନଶୀଳ ଅଞ୍ଚଳରେ ବିଭିନ୍ନ ପଦପଦବୀରେ ରହିଆସିଛନ୍ତି। ୨୦୧୦ ମସିହାରେ ସେ ପଦୋନ୍ନତି ପାଇ ଆସାମର ବାରପେଟାରେ କମାଣ୍ଡାଣ୍ଟ ପଦବୀରେ ଅଧିଷ୍ଠିତ ହୋଇଥଲେ। କର୍ମକ୍ଷେତ୍ରରେ କାର୍ଯ୍ଯ ନିର୍ବାହ କରିବା ସହିତ ସେ ନିଜକୁ ଜନକଲ୍ୟାଣ ଓ ସମାଜ ସେବାରେ ନିୟୋଜିତ କରିଥିଲେ। ଦୟାନିଧି ତନ୍ତୀ ଲାଠିକଟାରେ ବିବାହ କରି, ସେଠାରେ ବିଭିନ୍ନ ଜନକଲ୍ଯାଣ କାର୍ଯ୍ଯରେ ନିଜକୁ ନିୟୋଜତ କରିଛନ୍ତି। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ଯାଳୟରେ ଅବସ୍ଥାପିତ ରହି, ଓଡ଼ିଶାର ବିଭିନ୍ନ ମାଓବାଦୀ ପ୍ରଭାବିତ ଅଞ୍ଚଳ ଯଥା ମାଲକାନଗିରି, କୋରାପୁଟ, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରଭୃତି ଅଞ୍ଚଳରେ ମାଓବାଦୀଙ୍କୁ କିପରି ଦମନ କରାଯାଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଥିଲେ। ତାଙ୍କର ଭୁବନେଶ୍ୱର ସେକ୍ଟରରେ ରହଣି ସମୟରେ ଓଡିଶାରେ କେନ୍ଦ୍ରୀୟ ସୁରକ୍ଷା ବଳ ବହୁ ସଫଳତା ଲାଭ କରିଥିଲା। କର୍ମକ୍ଷେତ୍ରରେ କାର୍ଯ୍ୟ ନିର୍ବାହ କରିବା ସହିତ, ପୁରୀ ଜଗନ୍ନାଥ ରଥଯାତ୍ରା ସମୟରେ ନିଜକୁ ସାମାଜିକ କର୍ମୀ ଭାବରେ ପ୍ରତିପାଦିତ କରିପାରିଥିଲେ। ୨୦୧୯ରେ ସେ

ଭୁବନେଶ୍ବରରୁ ପଞ୍ଜାବ ର କପୁରତାଲା ସ୍ଥିତ ୨୪୫ କେନ୍ଦ୍ରୀୟ ସୁରକ୍ଷା ବଳ ମୁଖ୍ଯାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। କପୁରତାଲାସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ବହୁ ଉଚ୍ଚରେ ପହଞ୍ଚିବା ସହିତ ପଞ୍ଜାବ ର ବିଭିନ୍ନ ଜେଲରେ ବନ୍ଦ ଥିବା ଆତଙ୍କବାଦୀଙ୍କୁ କୌଣସି ଆତଙ୍କ କାର୍ଯ୍ଯକଳାପ ଘଟାଇବାକୁ ସୁଯୋଗ ମିଳି ନଥିଲା, ଯାହାକି କମାଣ୍ଡାଣ୍ଟ ଦୟାନିଧି ତନ୍ତୀଙ୍କ ଯୋଗୁଁ ସମ୍ଭବପର ହୋଇଥିଲା।ତାଙ୍କ କଠିନ ପରିଶ୍ରମ ଯୋଗୁଁ କପୁରତାଲାସ୍ଥିତ ୨୪୫ ବାଟାଲିୟନ ଉତ୍ତର-ପଶ୍ଚିମ ସେକ୍ଟର (ଏନଡବ୍ଲୁଏସ), ଉତ୍ତମ ଅପରେସନ ବାଟାଲିୟନରେ ପରିଣତ ହୋଇଥିଲା। ଗତ ଜୁଲାଇ ୨୧ ତାରିଖ ୨୦୨୨ରେ ସେ ପଦୋନ୍ନତି ପାଇ କେନ୍ଦ୍ରୀୟ ସୁରକ୍ଷା ବଳର ଉତ୍ତର-ପଶ୍ଚିମାଞ୍ଚଳ ସେକ୍ଟରରେ ଡି.ଆଇ.ଜି. ହୋଇପାରିଛନ୍ତି। ତାଙ୍କୁ ୨୪୫ ବାଟାଲିୟନରେ ଏକ ସ୍ବତନ୍ତ୍ର ଉତ୍ସବରେ ସ୍ବାଗତ କରାଯାଇଥିଲା ଏବଂ ଏଥିପାଇଁ ଏକ ଭବ୍ଯ ସ୍ବାଗତ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ବରିଷ୍ଠ ପଦାଧିକାରୀ ଡି.ଆଇ.ଜି. ଦୟାନିଧି ତନ୍ତୀଙ୍କୁ ସ୍ଵାଗତ କରିଛନ୍ତି।

nis-ad
Leave A Reply

Your email address will not be published.