ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଲା ଇଡି

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଇଛି ଇଡି। ଏହି ସମୟରେ ଇଡିର ଅଧିକାରୀମାନେ ଜମି ଦୁର୍ନୀତି ଘଟଣାରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବେ। ଆଜି ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା ଇଡି। ଏହି ସମୟରେ ତାଙ୍କୁ ୮ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲେ। ତେବେ କୋର୍ଟ ଏହାର ଅଧା ଅର୍ଥାତ ୪ ଦିନ ପାଇଁ ସଞ୍ଜୟ ରାଉତଙ୍କୁ ଇଡି ହେପାଜତକୁ ପଠାଇଛନ୍ତି।
ଇଡି ହେପାଜତରେ ଥିବା ବେଳେ ସଞ୍ଜୟ ରାଉତ ଘରର ରନ୍ଧା ଖାଦ୍ୟ ଖାଇପାରିବେ। ସେହିପରି ଜରୁରୀ ମେଡିସିନ ମଧ୍ୟ ବ୍ୟବହାର କରିବାକୁ କୋର୍ଟ ସଞ୍ଜୟଙ୍କୁ ଅନୁମତି ଦେଇଛନ୍ତି। ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଇଡି ଜେରା କରିବ। ଦରକାର ପଡ଼ିଲେ ଜେରା ସମୟ ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଇଡି ପ୍ରସ୍ତୁତ କରିବ ବୋଲି କୋର୍ଟ କହିଛନ୍ତି।
କୋର୍ଟ କହିଛନ୍ତି, “ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତ ଓ ମିଳିଥିବା ପ୍ରମାଣକୁ ଦେଖିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବାର ଆବଶ୍ୟକତା ରହିଥିବା ଅନୁଭବ କରାଯାଉଛି। କିନ୍ତୁ ୮ ଦିନିଆ ଆବେଦନକୁ ଗ୍ରହଣ କରାଯିବ ନାହିଁ। ତେଣୁ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ଇଡି ହେପାଜତକୁ ପଠା ଯାଉଛି।”
ଆଜି ଇଡି ପକ୍ଷରୁ ହିତେନ ଭେନେଗାଓଁକର ମାମଲା ପରିଚାଳନ କରିଥିଲେ। ସେ ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କୁ କହିଥିଲେ ଯେ ସଞ୍ଜୟ ରାଉତ ଓ ତାଙ୍କ ପରିବାର ଲୋକ ଏହି ଦୁର୍ନୀତି ବା ଅପରାଧିକ ପ୍ରକ୍ରିୟାରେ ସିଧାସଳଖ ଲାଭବାନ ହୋଇଛନ୍ତି। ରାଉତଙ୍କୁ ୪ ଥର ସମନ କରାଯାଇଥିଲେ ମଧ୍ୟ ସେ ମାତ୍ର ଥରେ ଇଡିରେ ହାଜର ହୋଇଛନ୍ତି। ସେ ଏହି ଘଟଣାର ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏଥିସହ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥିବା ଭେନେଗାଓଁକର ଯୁକ୍ତି ବାଢ଼ିଥିଲେ।
ରାଉତଙ୍କ ଓକିଲ ଅଶୋକ ମୁନ୍ଦାରଗି ନିଜ ଆବେଦନରେ ଉଲ୍ଲେଖ କରିଥିଲେ ଯେ ସଞ୍ଜୟ ରାଉତ ଜଣେ ହୃଦରୋଗୀ। ତେଣୁ ତାଙ୍କୁ ରାତି ୧୨ଟା ଯାଏ ଇଡି ଜେରା ନ କରୁ। ଏହାର ଜବାବରେ ଭେନେଗାଓଁକର କହିଥିଲେ ଯେ ଇଡି ସାଧାରଣତଃ ୧୦ଟା ଯାଏ ଅଭିଯୁକ୍ତଙ୍କୁ ଜେରା କରିଥାଏ।
ରବିବାର ରାତିରେ ସଞ୍ଜୟ ରାଉତଙ୍କୁ ଇଡି ଉଠାଇ ଆଣିବା ସହ ପ୍ରାୟ ୧୨ ଘଣ୍ଟା କାଳ ଜେରା କରିଥିଲା। ଏହାପରେ ତାଙ୍କୁ ସୋମବାର ସକାଳୁ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.