ଫୁଲବାଣୀ: ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ । ଏହା ପୁର୍ବରୁ ଅନ୍ୟ ଜଣକୁ ସଦର ପୋଲିସ କୋର୍ଟ ଚାଲାଣ କରିଥିଲା । ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରେ ନାବାଳିକାକୁ ମାଡ଼ ମାରି ଲହୁ ଲୁହାଣ କରାଯିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଜିଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ଏସ୍ପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ । ଗତ ୨୧ ତାରିଖରେ ଏବିଭିପି ପକ୍ଷରୁ ଏକ ବିଶାଳ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫନ କଲେ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏବିଭିପି ଚେତାବନୀ ଦେଇଥିଲା । ଜିଲା କଂଗ୍ରେସ ଏକ
ପ୍ରତିନିଧିଦଳ ଏସପିଙ୍କୁ ଭେଟି ଏହାର ସଠିକ ତଦନ୍ତ କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ଏହା ସହିତ କଂଗ୍ରେସର ମୋହାନା ବିଧାୟକ ତଥା କନ୍ଧମାଳ ଜିଲା ପ୍ରଭାରୀ ଦାଶରଥି ଗୋମାଙ୍ଗ ଏ ନେଇ ବିଧାନ ସଭାରେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ନାବାଳିକା ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ । ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ କରି ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରାଯାଇଛି । ସୁଚନାଯୋଗ୍ୟ, ଆଇଟିଆଇ ନିକଟସ୍ଥ ଥିବା ଗ୍ରାମର ଜଣେ ୧୪ ବର୍ଷର ଝିଅ ଦୂତିପଡା ଲେମ୍ବୁ ବଗିଚା ହାଇସ୍କୁଲରେ ରହି ନବମ ଶ୍ରେଣୀରେ ପଢୁଥିଲେ । ସ୍କୁଲ ଛୁଟି ହେବାରୁ ସେତାଙ୍କ ମାଆଙ୍କ ସାଙ୍ଗରେ ଘରକୁ ଆସିଥିଲେ । ଘରେ କିଛି ଦିନ ରହିବା ପରେ ସେ ତାଙ୍କ ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଘରକୁ ଫେରିନଥିଲେ । ଦୁଇଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ପରିସ୍ଥିତିକି ଲକ୍ଷ୍ୟ କରି ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରାଯାଇ ଥିବା ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ ।