ସରକାରୀ ଜାଗାରେ ନିଶା କାରବାର: ମାଟିରେ ମିଶିଲା ଘର

ଭୁବନେଶ୍ୱର: ଶୁକ୍ରବାର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ଆଦର୍ଶ ବସ୍ତିରେ ଥିବା ନିଶାମାଫିଆ ନୀଳ ପଟ୍ଟନାୟକଙ୍କ ସରକାରୀ ଜାଗାରେ ଥିବା ବେଆଇନ ଘରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଡ଼ିଏ ସହାୟତାରେ ବୁଲ୍ ଡୋଜର୍ ଦ୍ୱାରା ମାଟିରେ ମିଶାଇ ଦେଇଛି । ମଧ୍ୟାହ୍ନରେ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଶୋଇ, ଥାନାଧିକାରୀ ପ୍ରଦୀପ କୁମାର ରାଉତ ପ୍ରମୁଖ ବସ୍ତିକୁ ଯାଇ ବୁଲ ଡୋଜର ଦ୍ୱାରା ଗୋଟିଏ ପରେ ଗୋଟିଏ ୩ଟି ବଖରା ଘରକୁ ଭାଙ୍ଗି ଦେଇଛନ୍ତି ।

ନିଶାମାଫିଆ ନୀଳଙ୍କ ସମେତ ତାଙ୍କ ସ୍ତ୍ରୀ’ ନିତୁ ଓ ବାପା କିରଣ ପଟ୍ଟନାୟକଙ୍କ ନାମରେ ଏହି ଥାନାରେ ୩୫ଟି ବିଭିନ୍ନ ପ୍ରକାର ନିଶା କାରବାର ମାମଲା ରହିଛି । ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ବସ୍ତି ବାସିନ୍ଦା ନୀଳଙ୍କ ପରିବାର ପାଇଁ ଅଶାନ୍ତି ଥିଲେ । ପରିବାରର ଏକାଧିକ ସଦସ୍ୟ ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ଉକ୍ତ ଘରେ ନିଶା କାରବାର ଜାରି ରଖୁଥିଲେ । ତେଣୁ ଏଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି ।

ପୁଣି ଥରେ ସେମାନେ ଅନ୍ୟ କେଉଁଠି ନିଶା କାରବାର ଆରମ୍ଭ କଲେ, ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ବିଶୋଇ କହିଛନ୍ତି । ସୂଚନା ଅନୁଯାୟୀ, ନୀଳଙ୍କ ଘର ଚନ୍ଦକା ଦାରୁଠେଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘଦିନ ହେବ ଆଦର୍ଶ ବସ୍ତିରେ ଘର କରି ଏକ ଛୋଟ ହୋଟେଲ କରିଥିଲେ । ସେଠାରେ ପାନ, ଗୁଟଖା ଆଦି ବିକ୍ରି କରୁଥିଲେ । ହେଲେ ଏହି ବ୍ୟବସାୟ ଆଢ଼ୁଆଳରେ ପୁରା ପରିବାର ଗଞ୍ଜେଇ, ମଦ, ବ୍ରାଉନସୁଗର ଆଦି ନିଶା କାରବାର କରୁଥିଲେ । ବାପା କିରଣ ଓ ନୀଳ ଏକାଧିକ ଥର ଗିରଫ ହୋଇ ଜେଲ ଯାଉଥିଲେ । ହେଲେ ଜାମିନରେ ଆସି ପୁଣି ଥରେ ସେମାନେ ନିଶା କାରବାର ଆରମ୍ଭ କରି ଦେଉଥିଲେ । ଗତ ଜାନୁଆରୀ ୬ରେ ନିଳଙ୍କ ସ୍ତ୍ରୀ ନିତୁ ସ୍କୁଟି ଦ୍ୱାରା ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଧରାପଡ଼ି ଗିରଫ ହୋଇଥିଲେ ।

nis-ad
Leave A Reply

Your email address will not be published.