ହିଞ୍ଜିଳି ତହସିଲ ଅଫିସରେ ଭିଜିଲାନ୍ସ

ହିଂଜିଳିକାଟୁ,୨୨ା୭: ସରକାରୀ କର୍ମଚାରୀଙ୍କ ପାଇଁ ହିଂଜିଳି ଅଂଚଳ ସୁରକ୍ଷିତ ଗଡ଼ ଭାବେ ଜଣାଶୁଣା ଥିଲା । ଏଠି ଭିଜିଲାନ୍ସ ପ୍ରବେଶ ହୋଇ ପାରୁନଥିଲା । ଫଳରେ ସରକାରୀ କର୍ମଚାରୀ ବିନା ଭୟରେ ସରକାରୀ କାର୍ଯ୍ୟରେ ଖୁଲମଖୁଲା ଶେଷଣ କରୁଥିଲେ । ତେବେ ଶୁକ୍ରବାର ହିଂଜିଳି ତହସିଲ ଅଫିସ ଭିତରୁ ପ୍ରବେଶ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ । ଜଣେ ପୂର୍ବତନ ପରାମିଲିଟାରି କର୍ମଚାରୀଙ୍କ ଜାଗା ପଟ୍ଟା କରିଦେବାକୁ ୧୦ହଜାର ଟଙ୍କା ଲାଂଚ ମାଗିଥିବା ହିଂଜିଳିକାଟୁ ତହସିଲ ଅଫିସର ଲାଂଚୁଆ ସିନିୟର ରେଭିନ୍ୟୁ ଆସିଷ୍ଟାଷ୍ଟ ଏନ. ଜଗଦୀଶ ରାଓଙ୍କୁ ଅଫିସ ରେକର୍ଡ଼ ରୁମରେ କାବୁ କରିଛି ଭିଜିଲାନ୍ସ ଟିମ । ଲାଂଚ ନେଇଥିବା ୧୦ହଜାର ଟଙ୍କାକୁ ଲାଂଚୁଆ କର୍ମଚାରୀ ରାଓଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ ଟିମ । ଏହି ଘଟଣା ପରେ ତହସିଲ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଦୀର୍ଘଦିନ ପରେ ହିଂଜିଳିର ଅଭେଦ୍ୟ ଅଂଚଳରୁ ଲାଂଚୁଆ କର୍ମଚାରୀଙ୍କୁ କାବୁ କରିବା ଘଟଣା ନେଇ ଜନସାଧାରଣରେ ଭିଜିଲାନ୍ସ ବିଭାଗକୁ ବାବଦକୁ ପ୍ରଶଂସାର ସୁଅ ଛୁଟିଛି । ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଏଏସପି ହେନେରୀ କୁଲୁଙ୍କ ନେତୃତ୍ୱରେ ଏକ ଟିମ ପୂର୍ବ ପ୍ରସ୍ତୁତି ପ୍ରକାରେ ୧୦ହଜାର ଟଙ୍କା ଲାଂଚ ନେଉଥିବା ଏନ ଜଗଦୀଶ ରାଓଙ୍କୁ ହିଂଜିଳିକାଟୁ ତହସିଲ ଅଫିସ ଭିତରେ କାବୁ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ହିଂଜିଳିକାଟୁ ତହସିଲ ଅନ୍ତର୍ଗତ ଭେଙ୍କଟରାୟପଲୀ ଗ୍ରାମର ପୂର୍ବତନ ପରାମିଲିଟାରି କର୍ମଚାରୀ ନୀଳାମ୍ବର ମହାନ୍ତିଙ୍କ ଏକ ମ୍ୟୁଟେସନ କେସରେ ପଟ୍ଟା କରିଦେବା ପାଇଁ ଅଭିଯୁକ୍ତ ରାଓ ୧୦ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଜାଣିଶୁଣି ମ୍ୟୁଟେସନ କେଶକୁ ପକାଇ ରଖିଥିଲେ । ଏହି ଘଟଣା ନେଇ ଅଭିଯୋଗକାରୀ ମହାନ୍ତି ବ୍ରହ୍ମପୁର ଭିଜିଲାନ୍ସ ଅଫିସରେ ଜଣାଇଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଏଏସପି ହେନେରୀ କୁଲୁଙ୍କ ନେତୃତ୍ୱରେ ଏକ ଟିମ ପୂର୍ବ ପ୍ରସ୍ତୁତି ଅନୁସାରେ ଶୁକ୍ରବାର ଅପରାହ୍ନରେ ହିଂଜିଳିକାଟୁ ତହସିଲ ଅଫିସରେ ପହଂଚିଥିଲେ । ଯୋଜନା ମୁତାବକ ଅଭିଯୋଗକାରୀ ନୀଳାମ୍ବର ମହାନ୍ତିଙ୍କ ୧୦ହଜାର ଟଙ୍କା ଅଭିଯୁକ୍ତ ରାଓଙ୍କୁ ପ୍ରଦାନ କରିଥିଲେ । ପରେ ଭିଜିଲାନ୍ସ ଟିମ ମହାନ୍ତି ପ୍ରଦାନ କରିଥିବା ଲାଂଚ ଟଙ୍କାକୁ ଅଭିଯୁକ୍ତ ରାଓଙ୍କ ଠାରୁ ଜବତ କରାଯାଇଥିଲା । ଏଥି ନେଇ ବ୍ରହ୍ମପୁର ଭିଜିଲାନ୍ସ ପୋଲିସରେ କେଶ ନଂ ୧୧/୨୨ରେ ମାମଲା ରୁଜୁ ହୋଇଛି । ଇନିସପେକ୍ଟର ରାଜେନ୍ଦ୍ର କୁମାର ନାୟକ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଏଏସଆଇ ଦୁର୍ଗା ପ୍ରସାଦ ହୋତା, ଦୀପକ କୁମାର ଦାଶ, ରଘୁନାଥ ପ୍ରସାଦ ଚୌଧୁରୀ ପ୍ରମୁଖ ଭିଜିଲାନ୍ସ ଚଢ଼ାଉରେ ସାମିଲ ଥିଲେ । ଅଭିଯୁକ୍ତ ରାଓଙ୍କୁ ଭିଜିଲାନ୍ସ ଟିମ କାବୁ କରି ଏଠାରୁ ବ୍ରହ୍ମପୁର ଭିଜିଲାନ୍ସ ଅଫିସକୁ ନେବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ପ୍ରକାଶ ।

nis-ad
Leave A Reply

Your email address will not be published.