ହାତୀଦାନ୍ତ ଜବତ ସହ ୩ ଶିକାରୀ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ କାନବିନ୍ଧା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାରେ ୨ଟି ହାତୀଦାନ୍ତ ଜବତ ସହ ୩ ଶିକାରୀକୁ ଗିରଫ କରିଛି ବନବିଭାଗ ।

ସୂଚନାଅନୁସାରେ, ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଗତ ୬ତାରିଖରେ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଶିକାରୀ ମାନେ ହାତୀଟିକୁ ଗୁଳି କରି ତାର ଦାନ୍ତ କାଟି ନେଇଥିବା ଜାଣିପାରିଥିଲେ ବନ ବିଭାଗ ଅଧିକାରୀ ।ନୂତନ ଭାବେ ଯୋଗ ଦେଇଥିବା ସୁଦର୍ଶନ ବେହେରା ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଚଢାଉ ଆରମ୍ଭ କରିଥିଲେ । ତେବେ ଗତ ବୁଧବାର ଦିନ ଦଦରା ଲୁଣ୍ଡା ପଞ୍ଚାୟତର ବେଲାଟୁନ ଗ୍ରାମର ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା । ତେବେ ହାତୀଟିକୁ ମାରି ତାର ଦାନ୍ତକୁ କୁରାଢ଼ି ସାହାଯ୍ୟରେ ହାଣି ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତିଥିବା ସ୍ୱୀକାର କରିଥିଲେ ଏହି ଅପରାଧୀ ।

ବନ କର୍ମଚାରୀମାନେ ଉକ୍ତ ସ୍ଥାନରେ ପୋତା ଯାଇଥିବା ଖଣ୍ଡ ବିଖଣ୍ଡିତ ହାତୀ ଦାନ୍ତକୁ ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରୁନା ଦିଗାଲ, ଦୀପକ ଦିଗାଲ ଓ ଯୁବରାଜ ଦିଗାଲ। ଏହି ଘଟଣାରେ ୧୫୦/୨୨ଏମ ରେ ଏକ ମାମଲା ରୁଜୁ କରି ସମସ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଉ କିଛି ଲୋକ ଏଥିରେ ସମ୍ପୃକ୍ତ ଥିବାରୁ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଡିଏଫଓ ସୁଦର୍ଶନ ବେହେରା ।

nis-ad
Leave A Reply

Your email address will not be published.