ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ବୈଠକ


ଛତ୍ରପୁର (୧୧/୦୭) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଲଗାତର ଏବଂ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଆକଳନର ସଠିକ ରୂପାୟନ ହେଲେ ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯିବ । ଏଣୁ ଏହାର ମୁକାବିଲା ନିମନ୍ତେ ଓସ୍ବାନ ହଲରେ ଜିଲ୍ଲା ସ୍ତରୀୟ ଜରୁରୀକାଳୀନ ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳ ପ୍ରତି ନଜର ରଖି ସଜାଗ ରହିବା ପାଇଁ କୁହାଯାଇଛି । ଅପହଞ୍ଚ ଇଲାକାରେ ରହୁଥିବା ଗର୍ଭବତୀ ମହିଳା ମାନଙ୍କ ଯତ୍ନ ଓ ଆଗାମୀ ପନ୍ଦର ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରିବା ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସଂପୃକ୍ତ ଅଧିକାରୀ ମାନଙ୍କୁ ତଥ୍ୟ ପ୍ରଦାନ ଓ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ ମତ ପୋଷଣ କରିଥିଲେ । ଜିଲ୍ଲାରେ ଜଳ ସଂରକ୍ଷଣ ନିମନ୍ତେ ଥିବା ସମସ୍ତ ଡ୍ୟାମ୍ ର ଜଳ ଧାରଣ କ୍ଷମତା ଉପରେ ନଜର ରଖି କ୍ଷମତା ଠାରୁ ଅଧିକ ହେଲେ ତାହାର ନିଷ୍କାସନ ଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଛି । ପୂର୍ବ ନିର୍ଦ୍ଦେଶ ପ୍ରକାରେ ମିଳିତ ଯୁଗ୍ମ ଅନୁଧ୍ୟାନ ଶେଷ ହୋଇଛି, ତଥାପି ଚଳିତ ବର୍ଷାର ରୂପରେଖକୁ ନେଇ ପୁନର୍ବାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି । ଘୋଡାହାଡ, ବାଘଲଟି, ଧନେଇ, ଡହ, ବାଘୁଆ ଇତ୍ୟାଦି ଡ୍ୟାମ୍ ଗୁଡିକର ସ୍ଥିତି ଠିକ୍ ରହିଥିବା ସଂପୃକ୍ତ ଯନ୍ତ୍ରୀଗଣ ଅବଗତ କରାଇଥିଲେ । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୂଚନା ପ୍ରଦାନ କରାଯାଇ ଧିମା ଗତିରେ ଜଳ ନିଷ୍କାସନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ବନ୍ୟାପରିସ୍ଥିତିର ମୁକାବିଲା ନିମନ୍ତେ ଚୁଡା, ଗୁଡ, ଚାଉଳ, କିରୋସିନି ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ରହିଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜଣାଇଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଚାରିଗୋଟି ଜୋନ୍ ରେ ବିଭକ୍ତ କରାଯାଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆ ଯାଇଛି । ଜନଜୀବନ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ଔଷଧ, ଓ.ଆର୍.ଏସ୍., ହାଲୋଜେନ୍ ବଟିବା ଯଥେଷ୍ଟ ପରିମାଣରେ ଗଚ୍ଛିତ ଥିବା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଅବଗତ କରାଇଥିଲେ । ପଶୁସମ୍ପଦର ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ଔଷଧ ମହଯୁଦ ଥିବା ଏବଂ ସମ୍ଭାବ୍ୟ ବର୍ଷାକୁ ଲକ୍ଷ୍ୟରଖି ତଳିଆ ଅଞ୍ଚଳରେ ରହୁଥିବା ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, କୃଷି ବିଭାଗ, ଜନ ସ୍ବାସ୍ଥ୍ୟ ବିଭାଗ ରାସ୍ତା ଓ କୋଠାବାଡି ବିଭାଗ, ଓଡ୍ରାଫ୍ ଟିମ୍, ବିଦ୍ୟୁତ୍ ବିଭାଗ ଇତ୍ୟାଦି ର ପୂର୍ବ ପ୍ରସ୍ତୁତି କିଭଳି ରହିଛି ସେସମ୍ପର୍କରେ ଆଲୋଚନା କରାଯାଇଛି । ଦୁର୍ବଳ ରହିଥିବା କଚ୍ଚା ଘର ଗୁଡିକୁ ଚିହ୍ନଟ, ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ରହିଥିବା ସାମଗ୍ରୀ ଓ ଯନ୍ତ୍ରାଂଶ ଗୁଡିକୁ କାର୍ଯ୍ୟକ୍ଷମ କରି ରଖିବା ପାଇଁ କୁହାଯାଇଛି । ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ କୁହାଯାଇଛି । ସମସ୍ତ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲି ସଜାଗ ରହିବା ପାଇଁ କୁହାଯାଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କିର୍ତ୍ତୀ ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଉପ ଜିଲ୍ଲାପାଳ ଛତ୍ରପୁର ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.