ଶିବଙ୍କ ବେଶରେ ବୁଲେଟ ଚଢ଼ି ଯୁବକ ଗିରଫ

ଦିସପୁର: ଆସାମରେ ଭଗବାନ ଶିବଙ୍କ ବେଶ ଧରି ପାର୍ବତୀ ବେଶରେ ଜଣେ ଯୁବତୀଙ୍କୁ ବାଇକରେ ବୁଲାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଦେଶରେ ହେଉଥିବା ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ଶିବଙ୍କ ବେଶ ଧାରଣ କରି ଯୁବକ ଜଣକ ବୁଲେଟରେ ବସି ସହରରେ ବୁଲିଥିଲେ। ଏନେଇ ଅଭିଯୋଗ ହେବାକୁ ଯୁବକଙ୍କୁ ଗିରଫ କରିଥିଲା ପୁଲିସ। ଏବେ ଏହି ଘଟଣାରେ ହସ୍ତକ୍ଷେପ କରି ଯୁବକଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନର କୌଣସି ପ୍ରସଙ୍ଗକୁ ନେଇ ପଥପ୍ରାନ୍ତ ନାଟକ କରିବା କୌଣସି ଈଶ୍ୱରଙ୍କ ପ୍ରତି ଅପାମନ ନୁହେଁ।
ଯେପର୍ଯ୍ୟନ୍ତ ଆପତ୍ତିଜନକ ଶବ୍ଦର ବ୍ୟବହାର ହୋଇନାହିଁ, ସେପର୍ଯ୍ୟନ୍ତ କେବଳ ଭଗବାନଙ୍କ ଭଳି ପୋଷାକ ପିନ୍ଧି ସଜ ହେବାକୁ ଅପରାଧ ବୋଲି କୁହାଯାଇପାରିବ ନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବ ବେଶ ଧରିଥିବା ଯୁବକଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଗତ ଶନିବାର ସନ୍ଧ୍ୟାରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଭଳି ବେଶ ପୋଷାକ ପିନ୍ଧି ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳା ଦରଦାମ ବୃଦ୍ଧିର ପ୍ରତିବାଦ କରିଥିଲେ। ଏକ ବାଇକ୍ ଯୋଗେ ଉଭୟେ ନାଗାଓଁ କଲେଜ ଛକ ଠାରେ ପହଞ୍ଚି ପଥପ୍ରାନ୍ତ ନାଟକ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ପ୍ରଭୁ ଶିବଙ୍କ ଭଳି ବେଶ ପୋଷାକ ପିନ୍ଧିଥିବା ଯୁବକ ଜଣକ କହିଛନ୍ତି ଯେ ସରକାର କେବଳ ପୁଞ୍ଜିପତିଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଚିନ୍ତା କରୁନାହାଁନ୍ତି। ଏହା ପରେ ସେ ଲୋକଙ୍କୁ ରାସ୍ତାକୁ ଆସି ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ କରିବାକୁ କହିଥିଲେ। ହେଲେ ସେମାନଙ୍କର ଏହି କାରାନାମାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସଦସ୍ୟ ଅଭିଯୋଗ କରିଥିଲେ। ସେମାନେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଥିବା ଅଭିଯୋଗ ହୋଇଥିଲା। ଏନେଇ ଶିବ ବେଶରେ ବିରିଞ୍ଚି ବୋରା ଏବଂ ପାର୍ବତୀ ବେଶରେ କରିସ୍ମାଙ୍କ ବିରୋଧରେ ନାଗାଓଁ ସଦର ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ପରେ ବିରଞ୍ଚିଙ୍କୁ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.