ବିବାହ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

ଚଣ୍ଡିଗଡ: ମୁଣ୍ଡରେ ହଳଦିଆ ପଗଡି, ହାତରେ ପାରମ୍ପରିକ ଖଣ୍ଡା। ସେରୱାନି ପିନ୍ଧି ବର ବେଶରେ ନଜର ଆସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେପଟେ ନାଲି ଲେହେଙ୍ଗା ପିନ୍ଧି କନିଆଁ ବେଶରେ ସେଜଇ ହୋଇଛନ୍ତି ଡାକ୍ତର ଗୁରପ୍ରୀତ କୌର। ଗୁରୁଦ୍ୱାରାରେ ଗୁରପ୍ରୀତଙ୍କ ସହ ବିବାହ କରିଛନ୍ତି ୪୮ ବର୍ଷୀୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏହି ବିବାହ ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ସବୁଠୁ ବଡ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଉପସ୍ଥିତ ରହି ଭଗୱନ୍ତଙ୍କ ବାପା ଭାବେ ବିବାହର ସବୁ କର୍ମ ତୁଲାଇଛନ୍ତି । ଆରମ୍ଭରୁ ଶେଷ ଯାଏଁ କେଜ୍ରିୱାଲଙ୍କୁ ସବୁ ସ୍ଥାନରେ ଦେଖିବାକୁ ମିଳିଥିଲା।
ମାନଙ୍କ ବଧୂ ହୋଇଥିବା ଗୁରୁପ୍ରୀତ୍ ତାଙ୍କଠାରୁ ୧୬ ବର୍ଷ ସାନ। ଦୁହିଁଙ୍କ ସାକ୍ଷାତ ୪ ବର୍ଷ ପୂର୍ବେ ହୋଇଥିଲା। ଯେତେବେଳ ମାନ୍ ହାସ୍ୟ ଅଭିନେତା ଭାବେ ସକ୍ରିୟ ଥିଲେ ସେବେଠାରୁ ଗୁରୁପ୍ରୀତ୍ ତାଙ୍କର ପ୍ରଶଂସକ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ ୩୨ ବର୍ଷୀୟ ଗୁରପ୍ରୀତ ପଞ୍ଜାବ ନିର୍ବାଚନ ପ୍ରଚାର ବେଳେ ମାନଙ୍କୁ ସହାୟତା ମଧ୍ୟ କରିଥିଲେ।
ଚଣ୍ଡିଗଡ଼ରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଏହି ବିବାହ ସମାରୋହ ମୁଖ୍ୟମନ୍ତ୍ରୀମାନଙ୍କ ବାସଭବନରେ ହୋଇଥିବା ବେଳେ ଏଥିରେ ଆପ୍‌ ନେତା ରାଘବ ଚଡ୍ଡା ଓ ଅନେକ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗୱନ୍ତ ମାନଙ୍କ ମା’ ହରପାଲଙ୍କର ଇଚ୍ଛା ଥିଲା ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ କରନ୍ତୁ। ମା’ ଏବଂ ଭଉଣୀ ମନପ୍ରୀତ କୌର ନିଜେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପାଇଁ ଝିଅକୁ ଖୋଜିଥିଲେ ବୋଲି ଚଡ୍ଡା କହିଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀଙ୍କର ଦୁଇ ସନ୍ତାନ ଅଛନ୍ତି। ଦୁହେଁ ବିଦେଶରେ ରୁହନ୍ତି। ୨୦୧୫ରେ ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ ଭଗୱନ୍ତ ମାନ୍। ୨୦୧୫ରେ ଛାଡପତ୍ର ପରେ ମାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି। ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି।

nis-ad
Leave A Reply

Your email address will not be published.