ଆସିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ଫର୍ମୁଲା: ବିଜେପିର ୨୫, ସିନ୍ଦେ ଗୋଷ୍ଠୀର ୧୩ !

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ସହ ମନ୍ତ୍ରିମଣ୍ଡଳକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ବିଶେଷ କରି ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ କେଉଁ ଦଳର କେତେ ଆଉ କିଏ ମନ୍ତ୍ରୀ ହେବ ତାକୁ ନେଇ ଚାଲିଥିଲା ଅଙ୍କକଷା। କିଛି ଦିନ ତଳେ ବିଜେପିର ରାହୁଲ ନାର୍ବେକର ବାଚସ୍ପତି ହୋଇଛନ୍ତି। ଏବେ ପାଳି ନୂଆ ମନ୍ତ୍ରୀମଣ୍ଡଳର।
ମିଳିଥିବା ସୂଚନା ଅନୁସାରେ, ଫାଇନାଲ ହୋଇସାରିଛି ସିନ୍ଦେ ମନ୍ତ୍ରିମଣ୍ଡଳର ତାଲିକା। ଜାତିୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ରହିବେ ୩୮ ଜଣ ମନ୍ତ୍ରୀ। ଯେଉଁଥିରୁ ବିଜେପିର ୨୫ ଜଣଙ୍କୁ ସ୍ଥାନ ମିଳିପାରେ। ସେହିପରି ସିନ୍ଦେ ଗୋଷ୍ଠୀର ୧୩ ଜଣ ମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟତୀତ ଅଧିକାଂଶ ମନ୍ତ୍ରୀ ନୂଆ ହେବେ। ପରବର୍ତ୍ତୀ ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପି ନୂଆ ଚେହେରାଙ୍କୁ ସୁଯୋଗ ଦେଇ ପରଖିବାକୁ ଚାହୁଁଥିବା ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ନିକଟରେ ବିଧାନପରିଷଦ ଏବଂ ରାଜ୍ୟସଭା ନିର୍ବାଚନ ହୋଇଥିଲା। ଏହି ସମୟରେ ଏକନାଥ ଦଳରେ ବିଦ୍ରୋହ କରି ୩୯ ବିଧାୟକଙ୍କୁ ନେଇ ଆସାମର ରାଜଧାନୀ ଗୌହାଟୀରେ ପହଞ୍ଚିଥିଲେ। ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହାପରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ ସିନ୍ଦେ।
ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ମିଳିବା ପରେ ଏବେ ସିନ୍ଦେ ଗୋଷ୍ଠୀ ଶିବସେନା ଦଳ ଉପରେ ନଜର ପକାଇଛି। ଭାଗ ଭାଗ ହୋଇଯାଇଛି ଶିବସେନା। ଗୋଟିଏ ପଟେ ଉଦ୍ଧବ ଠାକରେ ଓ ଅନ୍ୟ ଦିଗରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ। କେହି କାହାରିକୁ ଛାଡିବାକୁ ନାରାଜ। ଉଭୟ ନିଜକୁ ପ୍ରକୃତ ଶିବସୈନିକ ବୋଲି ଦାବି କରୁଛନ୍ତି। କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଏକନାଥଙ୍କ ପଲ୍ଲା ଉଦ୍ଧବଙ୍କ ଅପେକ୍ଷା ଭାରି ଅଛି।
ଏପଟେ ମହାରାଷ୍ଟ୍ରରୁ ସଂସଦକୁ ଡେଇଁଲାଣି ଶିବସେନା ରାଜନୀତି। କାରଣ ନିକଟରେ ଦଳ ଲୋକସଭାରେ ଭାବନା ଗଓ୍ୱାଲିଙ୍କ ବଦଳରେ ରାଜନ ଭିଚାରେଙ୍କୁ ସଚେତକ କରିଛି। ଏନେଇ ଦଳର ନେତା ସଞ୍ଜୟ ରାଓ୍ୱତ ସୂଚନା ଦେଇଛନ୍ତି।
ଏହି ଅଦଳବଦଳ ସେତେବେଳେ ହୋଇଛି, ଯେତେବେଳେ ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଏକନାଥଙ୍କ ଗୋଷ୍ଠୀରେ ଯୋଗଦେବେ ବୋଲି ବିଦ୍ରୋହୀ ବିଧାୟକ ଗୁଲାବରାଓ ପାଟିଲ କହିଥିଲେ। ଯଦି ଏପରି ହୁଏ ତେବେ ଉଦ୍ଧବଙ୍କ ପାଇଁ ଏହା ବହୁତ ବଡ ଝଟକା ହେବ। କାରଣ ଦଳର ଲୋକସଭାରେ ୧୯ ସାଂସଦଙ୍କ ସମେତ ରାଜ୍ୟସଭାରେ ମଧ୍ୟ ୩ ସାଂସଦ ରହିଛନ୍ତି। ସେପଟେ ଆଜି ଉଦ୍ଧବଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଥାନେରେ ଶିବସେନାର ୬୭ଟି କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ କର୍ପୋରେଟରେ ସିନ୍ଦେ ଗୋଷ୍ଠୀ ସାମିଲ ହୋଇଛନ୍ତି।

nis-ad
Leave A Reply

Your email address will not be published.