ବାଲିଶଙ୍କରା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼ (୬/୭) : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବୁଧବାର ଦିନ ବାଲିଶଙ୍କରା ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଜିଲ୍ଲାପାଳ ହିତାଧିକାରୀ ଏବଂ ବିଭାଗୀୟ ଅଧିକାରୀମାନଙ୍କଠାରୁ ସିଧାସଳଖ ପଚାରି ବୁଝିଥିଲେ। ଏହାସହ ନିର୍ମାଣାଧୀନ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ବାଲିଶଙ୍କରା ବ୍ଲକରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପସ୍ଥଳକୁ ଯାଇ ଅଗ୍ରଗତି ବୁଲି ଦେଖିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାପାଳ ତଲସରା, ବାଲିଶଙ୍କରା ଏବଂ ବୀରବର ହାଇସ୍କୁଲକୁ ଯାଇ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଦେଖିଥିଲେ। ଏହାସହ ଜିଲ୍ଲାପାଳ ବନ୍ଧବାହାଲ ସରକାରୀ ହାଇସ୍କୁଲକୁ ଯାଇ ସେଠାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଜିଲ୍ଲାପାଳ ତୁମୁଲିଆ ପଞ୍ଚାୟତରେ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଇଥିବା ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ପୋଷଣ କାର୍ଯ୍ୟକ୍ରମ, ପାନୀୟ ଜଳ ଆଦି ବିଷୟରେ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀଙ୍କ ସହିତ କଥା ହୋଇଥିଲେ। ଏହାସହିତ ଜିଲ୍ଲାପାଳ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ହଷ୍ଟେଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସୁରକ୍ଷିତ ମାତୃତ୍ୱ ପାଇଁ ମା’ଗୃହ ରହିଛି। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବାଲିଶଙ୍କରା ବ୍ଲକର ରାଉଲଡେଗାଠାରେ ଥିବା ମା’ଗୃହ ପରିଦର୍ଶନ କରି ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ।

ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଶାସନ ପକ୍ଷରୁ ଅଟୋ ରିକ୍ସା ଯୋଗାଇ ଦିଆଯାଉଛି। ଏହି ଅବସରରେ ତଲସରା, କୋରୁଆବାହାଲ ଏବଂ ବାଲିଶଙ୍କରା ଗ୍ରାମପଞ୍ଚାୟତର ୩ ଜଣ ମହିଳାଙ୍କୁ ମିଳିଥିବା ଅଟୋ ରିକ୍ସାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ। ଏହାସହ ଜିଲ୍ଲାପାଳ ବାଲିଶଙ୍କରାରେ ମହିଳା ଏସଏଚଜିଙ୍କ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହିତ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ଏକ୍କା, ବିଡିଓ ବାସନ୍ତୀ ଲାକ୍ରା, ତହସିଲଦାର ରିନା ନାଏକ, କନିଷ୍ଠ ଯନ୍ତ୍ରୀ ରାଧେଶ୍ୟାମ ଦାସ, ଏଇ ସାଗାରାମ ମାର୍ଣ୍ଡି, ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଅରବିନ୍ଦ ନାଏକ, ସିଡିପିଓ ପ୍ରତିମା ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.