ଶୌଚ ହେବାକୁ ଯାଇଥିଲା ବେଳେ ଭିଡ଼ି ନେଲା କୁମ୍ଭୀର

ଆଳି: ଗୋଡ଼ ଧୋଇବାକୁ ଯାଇଥିଲେ। ନଦୀ କୂଳରେ ପଡ଼ିଥିବା ଜାଲି ଉପରେ ଠିଆ ହୋଇ ଗୋଡ଼ ଧୋଇଥିଲେ। ପରେ ହାତ ଧୋଇବାକୁ ନଇଁ ଥିଲେ। ଏହି ସମୟରେ ଜାଲି ଭିତରେ ଲୁଚି ବସିଥିବା କୁମ୍ଭୀର ବାହାରି ଆସି ସିଧାସଳଖ ବେକକୁ କାମୁଡ଼ି ଧରିଥିଲା। କୁମ୍ଭୀର ଆଁ ଭିତରେ ରହିଥିଲା ସମ୍ପୂର୍ଣ୍ଣ ମୁଣ୍ଡ ଓ ବେକ। ଜାଲି ଭିତରକୁ ଭିଡ଼ି ନେଇ ଖାଇଯିବାକୁ ଉଦ୍ୟମ କରିଥିଲା।

ଢେର ସମୟ ଜାଲି ଭିତରେ ଛଟପଟ କରିଥିଲା। ହେଲେ ଶେଷରେ କୁମ୍ଭୀରକୁ ହରାଇ ଜୀବନ ବଞ୍ଚାଇ ପାରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର। ଗତକାଲି ରାତିରେଏହି ଘଟଣା ଘଟିଛି।

ସୂଚନା ମୁତାବକ, ଗାଁ ନିକଟ ଖରସ୍ରୋତା ନଦୀକୁ ରାତିରେ ଶୌଚ ହେବାକୁ ସେ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଦୀର୍ଘ ୧୫ମିନିଟ ଧରି ସେ କୁମ୍ଭୀର ସହ ସଂଘର୍ଷ କରିଥିଲେ। ପରେ କୁମ୍ଭୀରକୁ ହରାଇ ତା କବଳରୁ ବର୍ତ୍ତି ପାରିଥିଲେ।

କୂଳକୁ ଆସିବା ବେଳକୁ ତାଙ୍କ ବେକ ଓ ମୁଣ୍ଡରୁ ରକ୍ତ ବୋହି ଚାଲିଥିଲା। କୁମ୍ଭୀର ଦାନ୍ତ ପଶି ମୁଣ୍ଡ ଓ ବେକରେ ବିରାଟକାୟ କ୍ଷତମାନ ହୋଇଥିଲା। ଏହା ଦେଖିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଘରକୁ ନେଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

nis-ad
Leave A Reply

Your email address will not be published.