ରାଜ୍ୟରେ ମଦ ନିଷେଧ ପ୍ରସଙ୍ଗ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ରାଜ୍ୟରେ ସଂପୂର୍ଣ୍ଣ ଭାବେ ମଦ ନିଷେଧ ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବା ଅନାବଶ୍ୟକ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆ‌ର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କହିବା ସହିତ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ଆବେଦନର ଶୁଣାଣିର ଅନ୍ତ ଘଟାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ”ମଦ ନିଷେଧ ପାଇଁ ଓଡିଶା ପ୍ରୋହିବିସନ ଆକ୍ଟ ଲାଗୁ କରିବା ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି । ସେହି ଦୃଷ୍ଟିରୁ ରାଜ୍ୟ ସରକାର ମଦ ଉପରେ ନିଷେଧାଦେଶ ଲାଗୁ କରିବେ କି ନାହିଁ ସେଥିରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ।

ରାଜ୍ୟରେ ମଦ କାରବାର ଉପରେ ରୋକ ଲାଗୁ ପାଇଁ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ । ବୁଧବାର ମାମଲା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ,୧୯୫୬ ମସିହାର ଉପରୋକ୍ତ ଆଇନ କାର୍ଯ୍ୟକାରୀ କରିବା ନେଇ ଏବେ କୋଣସି ପ୍ରସ୍ତାବ ନାହିଁ । ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଗଲେ ଏହା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଭାବିତ କରିବ । ସରକାରଙ୍କ ରାଜସ୍ବ ମଧ୍ୟ ହ୍ରାସ ପାଇବ। ମଦ ଉପରେ କଟକଣା ଦ୍ବାରା ଲାଭ ଅପେକ୍ଷା କ୍ଷତି ହେବ । ଅପେକ୍ଷାକୃତ ହାନୀକାରକ ମଦ (ହାର୍ଡ)ର ବ୍ୟବହାର କମାଇବା ପାଇଁ ସରକାର ଦର ନିୟମିତ ଭାବେ ବୃଦ୍ଧି କରୁଛନ୍ତି । ମଦ ପ୍ରସଙ୍ଗ ପରିଚାଳିତ କରିବା ପାଇଁ ଓଡ଼ିଶା ଅବକାରୀ ନୀତି ରହିଛି । ମଦ ନିଷେଧ କରାଯିବ କି ନାହଁ ତାହା ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି ଜବା‌ବରେ ଉଲ୍ଲେଖ କରାଯାଇଥିଲା ।

୨୦୧୩ରେ ରାଜ୍ୟରେ ମଦ ନିଷେଧ ପାଇଁ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଆବେଦନକାରୀ ଦର୍ଶାଇଥିଲେ ଯେ ୧୯୫୬ ମଦ ନିଷେଧ ଆଇନ ଅନୁସାରେ ସରକାର ସମସ୍ତ ପ୍ରକାର ମଦ ନିଷେଧ କରନ୍ତୁ।

nis-ad
Leave A Reply

Your email address will not be published.