ଉଦ୍ଧବ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ସେନା

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିନ୍ଦେଙ୍କ ସହ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ। ଆଜି ବିଦ୍ରୋହୀ ବିଧାୟକମାନେ ବିଧିବଦ୍ଧ ଭାବେ ଗୋଟିଏ ନୋଟିସ ଜାରି କରି ଏମଭିଏ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିଥିବା କଥା ସମସ୍ତଙ୍କୁ ଅବଗତ କରାଇଛନ୍ତି।
୩୮ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଚାଲିଥିବା ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଛି। ତେଣୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ଖୁବଶୀଘ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାର ସମ୍ଭାବନା ମଧ୍ୟ ରହିଛି।
ବିଦ୍ରୋହୀ ବିଧାୟକମାନେ ଜାରି କରିଥିବା ନୋଟିସରେ କହିଛନ୍ତି ଯେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ଗଠନ କରିଥିବା ଏମଭିଏ ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। କାରଣ ସରକାରଙ୍କୁ ସମର୍ଥନ କରୁଥିବା ଶିବସେନାର ୩୮ ଜଣ ବିଧାୟକ ଏବେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ଏମଭିଏ ସରକାର ଉପ ବାଚସ୍ପତି ପଦର ଅପବ୍ୟବହାର କରୁଛି। ସେମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ଉପ ବାଚସ୍ପତି ଶିବସେନାର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ କରିଛନ୍ତି। ଏଥିସହ ୩୮ ଜଣ ବିଧାୟକ ଏକନାଥ ସିନ୍ଦେଙ୍କୁ ଦଳର ନେତା ଭାବେ ଚୟନ କରିଥିବା ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଉଦ୍ଧବ ସେନା ଏହାକୁ ମାନିବାକୁ ନରାଜ। ବିଦ୍ରୋହୀ ବିଧାୟକମାନେ ମହାରାଷ୍ଟ୍ର ବିଧାନସଭାକୁ ଆସିବା ପରେ କାହାର ଶକ୍ତି କେତେ, ତାହା ପ୍ରମାଣିତ ହେବ ବୋଲି ଉଦ୍ଧବ କ୍ୟାମ୍ପରେ ଥିବା ନେତାମାନେ କହିଛନ୍ତି। ସେହିପରି ଆଜି ଉଦ୍ଧବ ସେନା ଓ ସିନ୍ଦେ ସେନା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି। ଏପରି କି ବିଦ୍ରୋହୀ ବିଧାୟକ ରାଜେନ୍ଦ୍ର ପାଟିଲଙ୍କ ସମର୍ଥକଙ୍କ ଶିବସେନାର କର୍ମୀଙ୍କ ପାରପିଟ ହୋଇଛି। କୋହ୍ଲାପୁରର ଜଇସିଂହପୁର ଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ପୁଲିସ ଏଥିରେ ହସ୍ତକ୍ଷେପ କରିଛି। ଏଥିସହ ଉଭୟ ଗୋଷ୍ଠୀର କିଛି କର୍ମୀଙ୍କୁ ଅଟକ ରଖିଛି।

nis-ad
Leave A Reply

Your email address will not be published.