ବାଲଠାକରେଙ୍କ ନାମକୁ ବ୍ୟବହାର କରିବାକୁ ବିଦ୍ରୋହୀଙ୍କୁ ମନା, ପ୍ରସ୍ତାବ ପାରିତ  

ମୁମ୍ବାଇ: ବିଦ୍ରୋହୀ ନେତାଙ୍କ ବିରୋଧରେ ଆକ୍ସନମୋଡକୁ ଆସିଛି ଶିବସେନା। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ନେତାମାନେ ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ନାମ ବ୍ୟବାହାର କରିବାକୁ ବାରଣ କରାଯାଇଛି। ନିଜ ଦଳର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିବା ଶିବସେନା ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। ବାଲାସାହେବଙ୍କ ନାମକୁ ଯେମିତି ଆଉ କେହି ରାଜନୈତିକ ଫାଇଦା ପାଇଁ ବ୍ୟବହାର ନକରିନ୍ତି ସେଥିପାଇଁ ଦଳ ଅନୁରୋଧ କରିଛି। ଶିବସେନାର ପ୍ରତିଷ୍ଠାତା ବାଲାସାହେବଙ୍କ ନାମକୁ କାଳେ ବିଦ୍ରୋହୀମାନେ ଅପବ୍ୟବହାର କରିବେ ସେ ନେଇ ଶିବସେନା ଆଶଙ୍କା କରିଛି।
ତେଣୁ ସେମାନେ ଯେମିତି ବାଲାସାହେବଙ୍କ ନାମ ବ୍ୟବହାର ନକରନ୍ତି ସେଥିପାଇଁ ଶିବସେନା ଅନୁରୋଧ କରିଛି। ଅନ୍ୟପଟେ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଅପିଲ କରିଛି ଦଳ। ସେହି ଅନୁଯାୟୀ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଉପବାଚସ୍ପତି ନୋଟିସ କରିଛନ୍ତି। ଅନ୍ୟପଟେ ଏକନାଥ ସିନ୍ଦେ ଏବେ ନିଜ ସମର୍ଥକ ବିଧାୟକଙ୍କୁ ଧରି ନୂଆ ଦଳ ‘ଶିବସେନା ବାଲାସାହେବ ଠାକରେ’ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ଖବର ଆସିଛି।
ଯାହାକୁ ନେଇ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ଅନ୍ୟପକ୍ଷରେ ଶିବ ସୈନିକମାନେ ରାସ୍ତାକୁ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଧାରା ୧୪୪ଲାଗୁ କରାଯାଇଛି। ଶିବ ସୈନିକଙ୍କ ଦଙ୍ଗାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ହାଇ ଆଲର୍ଟ ଜାରି କରିଛି ଏବଂ ସହରର ସମସ୍ତ ରାଜନୈତିକ କାର୍ଯ୍ୟାଳୟରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୁଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି।

nis-ad
Leave A Reply

Your email address will not be published.