ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ (୫୦) ଓ ଜୟସେନ ପାଢ଼ି(୪୭)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ତେବେ ଜୟସେନ ପାଢ଼ିଙ୍କ ଘର ବୁରୁଟୁଲୁରେ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଘର ଜାମୁନିରେ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପୁରୁଷୋତ୍ତମପୁର ବ୍ଲକ୍‌ ବିଜେଡି ସଭାପତି ଗୋପାଳକୃଷ୍ଣ ମହାନ୍ତି ଫେରାର୍‌ ଥିବା ବେଳେ ପୁଲିସ ସେମାନଙ୍କ ପତ୍ତା ପାଇପାରୁ ନାହିଁ । ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଯାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି ।

ଖବର ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ଅଭିଯୁକ୍ତ ଜୟସେନ ପାଢ଼ିଙ୍କ ସ୍ତ୍ରୀ ରଞ୍ଜିତା ମହାନ୍ତି ସମିତି ସଭ୍ୟା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ଯୋଗେଶ ବେହେରା ଓ ଅଜିତ ପାଣିଗ୍ରାହୀ ବିରୋଧ କରୁଥିଲେ । ପରବର୍ତ୍ତୀ ସମୟରେ ସମବାୟ ନିର୍ବାଚନରେ ମଧ୍ୟ ଜୟସେନଙ୍କୁ ବିରୋଧ କରିଥିଲେ ଯୋଗେଶଙ୍କ ଗୋଷ୍ଠୀ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଯୋଗେଶକୁ ରାସ୍ତାରୁ ହଟାଇବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ । ୨୦୨୨ ଜୁନ୍‌ ୭ ତାରିଖ ରାତିରେ ଗୋପାଳକୃଷ୍ଣଙ୍କ ସହ ଅଭିଯୁକ୍ତ ମାନେ ଜାମୁନି ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ମାରଣାସ୍ତ୍ର ସହ ଜଗି ରହିଥିଲେ । ଯୋଗେଶ ଓ ଅଜିତଙ୍କ ଉପରେ ଜଗନ୍ନାଥ ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା ।

ଅଭିଯୁକ୍ତମାନେ ଯୋଗେଶଙ୍କ ମୁଣ୍ଡ ଓ ହାତକୁ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୋଗେଶଙ୍କ ସହଯୋଗୀ ଇନ୍ଦ୍ରଜିତ ନାୟକ, ଅଲେଖ ମଲ୍ଲିକ, ନୀଳାମ୍ବର ନାୟକ, ପଦ୍ମଲାଭ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ଆହତ ଅଜିତ ପାଣିଗ୍ରାହୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଜିତଙ୍କ ଅଭିଯୋଗ ପ୍ରକାରେ ପୁରୁଷୋତ୍ତମପୁର ଥାନା କେସ୍‌ ନମ୍ବର ୩୧୪/୨୦୨୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ହତ୍ୟା ଘଟଣାରେ ପୁରୁଷୋତ୍ତମପୁର ବ୍ଲକ୍‌ ବିଜେଡି ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ସଂପୃକ୍ତିକୁ ନେଇ ବିଜେଡି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଏତଲାରେ ତାଙ୍କ ନାମ ରହିଛି । ଆଇନ ତା’ବାଟରେ ଯିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.