ଷ୍ଟେସନ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଡିଆରଏମ ଓ ରେଲୱେ ଇଞ୍ଜିନିୟର

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳଷ୍ଟେସନ କାର୍ଯ୍ୟ ନିମ୍ନମାନର ହେଉଥିବା ଖବର ପ୍ରସାରଣ ପରେ ଚେଇଁ ଉଠିଛି ରେଳବିଭାଗ । ଅଞ୍ଚଳବାସୀ ସାଂସଦଙ୍କ ହସ୍ତକ୍ଷେପ ଦାବି ପରେ ସେ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଆରଏମ ଆଜି ବିଭାଗୀୟ ଇଂଜିନିୟରଙ୍କୁ ଧରି କାର୍ଯ୍ୟର ତଦାରଖ କରିଛନ୍ତି ।

ନୀଳଗିରି ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଗଡ଼ିବା ଆଶା ବହୁଦିନ ପରେ ପୂରଣ ହୋଇଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀଙ୍କୁ ବାରମ୍ୱାର ଚିଠି ଲେଖିଥିଲେ । ପରେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ନୀଳଗିରିବାସୀଙ୍କ ସ୍ୱପ୍ନ ପୂରଣ ମଧ୍ୟ କରି ନୂତନ ଷ୍ଟେସନ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ୩ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରେଲବିଭାଗ କାର୍ଯ୍ୟ ଆରମ୍ବ ବିଳମ୍ବ କରିଥିବାରୁ ତାଙ୍କର ପ୍ରତିଶୃତି ରକ୍ଷା ହୋଇ ପାରିନଥିଲା ଷ୍ଟେସନ ନିର୍ମାଣ କାର୍ଯ୍ୟ ଆରମ୍ବ ହେଉଣୁ କାମର ମାନକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ଆବଶ୍ୟକ ଅନୁସାରେ କମ ଗଭୀରରେ ଫାଉଣ୍ଡେସନ ଗାତ ଖୋଳା ଯାଇଥିବାବେଳେ କାଦୁଅମିଶା ବାଲିରେ କାମ ହେଉଥିବା ନଜରକୁ ଆସିଥିଲା । ଡବଲ ଜାଲି ନଦିଆଯାଇ ସିଙ୍ଗଲ ଜାଲି ବାନ୍ଧି କଲମର ବେଶ ପକାଯାଇଥିବା ମଧ୍ୟ ଅଭିଯୋଗ ଉଠିଥିଲା । ଫାଉଣ୍ଡେସନ ଗାତକୁ ବାଲି ବଦଳରେ ମାଟିରେ ପୋତିଦିଆଯାଇଥିବା ବେଳେ ସାଂସଦଙ୍କ ଗାଁ କାମ ଏଭଳି ହେବା ନେଇ ବହୁ ଅଞ୍ଚଳବାସୀ ଅଭିଯୋଗ ଉଠାଇଥିଲେ ।

ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଡିଆରଏମଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ । ଆଜି ଡିଆରଏମ ବିଭାଗୀୟ ଇଞ୍ଜିନିୟର ଓ ଅଧିକାରୀ ଙ୍କୁ ଧରି ଆଜି ଅପରାହ୍ନରେ ଷ୍ଟେସନ କାମ ହେଉଥିବା ସ୍ଥାନରେ ପହଁଚି ଥିଲେ । ସାଂସଦ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ତାଙ୍କ ସହ ଥିଲେ । ଫାଉଣ୍ଡେସନ ଗାତରେ ମାଟି ଫିଲିଂ କଲେ କିଛି ଅସୁବିଧା ନାହିଁ ବୋଲି ଆସିଥିବା କିଛି ଇଞ୍ଜିନିୟର କହିଥିବା ବେଳେ କାଦୁଅ ମିଶା ବାଲିରେ କଣ ପାଇଁ କାମ ହେଉଛି ବୋଲି କୁହାଯିବାରୁ ତାହା ଟେଷ୍ଟ କରାଯାଇ ବଦଳାଯିବ ବୋଲି କହିଥିଲେ ବି ହେଲେ ବାଲି ପଡିଥିବା ସ୍ଥାନକୁ ଯାଇ ଦେଖି ତଦନ୍ତ କରିବାକୁ କେହି ଉଚିତ ମଣିନଥିଲେ ।

ପରେ ଡିଆରଏମ କେଉଁ ସ୍ଥାନଦେଇ ଷ୍ଟେସନକୁ ରାସ୍ତା କଲେ ଭଲହେବ ଆଲୋଚନା କରିଥିଲେ । ଏହି ସମୟରେ ବିଭାଗୀୟ ଇଞ୍ଜିନିୟର କାମ ତଦାରଖ କରୁଥିବା କିଛି ଅଧିକାରୀଙ୍କୁ ବିରକ୍ତ ହେଉଥିବା ଦେଖିବାକୁ ମିଳିଛି ।ଏଥିରୁ ସ୍ପଷ୍ଟ ଅନୁମାନ କାମର ମାନ କିମ୍ବା ଡିଜାଇନକୁ ନେଇ ଅଧିକାରୀ ଅସନ୍ତୁଷ୍ଟ ଥିଲେ । ସାଂସଦ ଓ ଡିଆଇଏମଙ୍କୁ କାମ ବିଷୟରେ ଘଣ୍ଟ ଘୋଡାଇଯାଇଥିବା ଅଭିଯୋଗ ଉଠିଛି ।

nis-ad
Leave A Reply

Your email address will not be published.