ଅଲଟିମେଟ୍‌ ଖୋ ଖୋ ଲିଗ୍: ଫ୍ରାଞ୍ଚାଇଜ କିଣିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଅଲଟିମେଟ୍‌ ଖୋ ଖୋ ଲିଗ୍‌ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛନ୍ତି ଓଡ଼ିଶା ସରକାର । ଖୁବ୍‌ ଶୀଘ୍ର ଏହି ଲିଗ୍‌ରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି । ଏ ବିଷୟରେ ଗୁରୁବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଜାତୀୟ ହକିକୁ ପ୍ରୋତ୍ସାହିତ କରିବା ପରେ ଟୋକିଓରେ ପୁରୁଷ ଦଳ ଅଲିମ୍ପିକ୍ସ ପଦକ ଜିତିବାରେ ସଫଳ ହୋଇଛି । ସେମିତି ଜାତୀୟ ସ୍ତରରେ ଫୁଟବଲ୍‌, ରଗ୍‌ବୀ ଭଳି କିଛି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି ।

ୟୁକେକେରେ ପୂର୍ବରୁ ୪ଟି ଦଳ ଥିଲା । ରାଜ୍ୟ ସରକାର ଏଥିରେ ପଞ୍ଚମ ଫ୍ରାଞ୍ଚାଇଜ କିଣିବେ । ପୂର୍ବରୁ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ଏକ ଫ୍ରାଞ୍ଚାଇଜ ଥିଲା । ଯାହାର ନାମ ଥିଲା କଳିଙ୍ଗ ଲାନସର୍ସ । ଓଡ଼ିଶା କ୍ରୀଡ଼ାର ବିକାଶ ଏବଂ ପ୍ରଚାର ପ୍ରସାର କମ୍ପାନୀ (ଓଏସ୍‌ଡିପିସି) ୟୁକେକେରେ ଫ୍ରାଞ୍ଚାଇଜ ମାଲିକ ହେବ । ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ଜିତିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଓଡ଼ିଶାରେ ଖୋ ଖୋ ଖୁବ୍‌ ଲୋକପ୍ରିୟ । ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଆମର ପୁରୁଷ ଓ ମହିଳା ଦଳ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ରାଜ୍ୟରେ ଲୋକପ୍ରିୟତା ଦେଖି ଆମେ ୟୁକେକେରେ ଫ୍ରାଞ୍ଚାଇଜ କିଣିବା ନେଇ ନିଷ୍ପତ୍ତି ନେଇଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ପୋର୍ଟ୍ସ ଇନ୍‌ ଓଡ଼ିଶା’ ଲକ୍ଷ୍ୟର ଏହା ଏକ ଅଂଶ ଅଟେ ।’ ୟୁକେକେରେ ପୂର୍ବରୁ ୪ଟି ଦଳ ଯଥା-ଗୁଜରାଟ, ତେଲଙ୍ଗାନା, ରାଜସ୍ଥାନ ଓ ଚେନ୍ନାଇ ରହିଛନ୍ତି । ଓଡ଼ିଶା ପଞ୍ଚମ ଦଳ ଭାବେ ସାମିଲ ହେବ । ଦଳର ନାମ କ’ଣ ରହିବ ତାହା ପରବର୍ତ୍ତୀ ସମୟରେ ଘୋଷଣା ହେବ ।

nis-ad
Leave A Reply

Your email address will not be published.