ପାରାଭାଡ଼ି ଉଠି ରଥରେ ଖପୁରି ସ୍ଥାପନ

ପୁରୀ : ମଙ୍ଗଳବାର ତିନି ରଥରେ ପାରାଭାଡ଼ି ଉଠି ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ଖପୁରି ଉପରେ ପୋତା ହୋଇଛି କଳସ ଡାଙ୍ଗିଆ । ଏହାପରେ କଳସ ଲାଗିବ । ଏପଟେ ରଥଖଳାରେ ଦୁଆର ଘଡ଼ା କାମ ଜାରି ରହିଛି । ପ୍ରତି ରଥର ତିନୋଟି ଲେଖାଏଁ ଦୁଆର ଘଡ଼ା ସରିଛି । ମହାପ୍ରଭୁଙ୍କ ସିଂହାସନ ସ୍ଥାପନ ପାଇଁ ଜଗତପୃଷ୍ଠ ଶେଣୀ ରଥ ଉପରକୁ ଉଠାଯାଇଛି ।

ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ପୋଟଳପଟାରେ ଦଉଡ଼ି ବାନ୍ଧି ରଥ ଉପରକୁ ଉଠାଇଥିଲେ । ପ୍ରଥମ ପୋଟଳ ଉପରେ ଦ୍ୱିତୀୟ , ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ ପୋଟଳ ରଖାଗଲା । ଏହା ଉପରେ ପାରାଭାଡ଼ି ଉଠିଲା । ୬ଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡ଼ାଯାଇ ପାରାଭାଡ଼ି ହୋଇଥିଲା । ମଝିରେ ପଟା ଦିଆଯାଇ ସଂଯୁକ୍ତ କରିବା ପରେ ଚତୁଃପାଶ୍ୱର୍ରେ ଚିତ୍ରକରମାନେ ପାରା ଚିତ୍ର କରିଥିଲେ । ପରେ ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ ଯୋଡ଼ାଯାଇଥିଲା । ଭୋଇ ସେବକମାନେ ଏହାକୁ ନେଇ ରଥ ଉପରେ ସ୍ଥାପନ କରିଥିଲେ । ପରେ ଆଉ ୫ପରସ୍ତ ପୋଟଳ ଉଠାଇ ଶେଷରେ ଖପୁରି ସ୍ଥାପନ ହୋଇଥିଲା ।

ତାଗ କାମପରେ ରଥରେ ପଟା ବାଡ଼ିଆ ସରିବା ଉପରେ । ବିଶ୍ୱକର୍ମାମାନେ ଦୁଆର ଘଡ଼ା କାମରେ ଲାଗିଛନ୍ତି । ଖୁବ୍‌ ଶୀଘ୍ର ତିନି ରଥରେ ୧୨ଟି ଦୁଆର ଘଡ଼ା ଉଠିବ । ମହାପ୍ରଭୁଙ୍କ ସିଂହାସନ କାମ ଚାଲିଛି । ରଥରେ ରଙ୍ଗ କାର୍ଯ୍ୟ ଚାଲିଛି । ଚିତ୍ରକର ରଙ୍ଗ କରିବା ପରେ ରଥରେ ସ୍ଥାପନ ହେବ କଳସ । ରୂପକାରମାନେ ରଥରେ ମୂର୍ତ୍ତି ଖୋଦେଇରେ ଲିପ୍ତ । ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କନାମଣ୍ଡଣି କାମ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.