ଚୌଦ୍ବାର ଅଟୋ ଡ୍ରାଇଭର୍‌ଙ୍କ ମୃତ୍ୟୁର ପର୍ଦ୍ଦାଫାସ

କଟକ/ଚୌଦ୍ବାର: ଚୌଦ୍ବାରର ଅଟୋ ଡ୍ରାଇଭର୍ ଲୋକନାଥ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାସ କରିଛି ଚୌଦ୍ବାର ଥାନା ପୁଲିସ। ସୂଚନା ଅନୁଯାୟୀ ବିରୂପା ବ୍ରିଜ ନିକଟରେ ଏକ ପିକ୍ ଅପ୍ ବୋଲେରୋ ଧକ୍କା ଦେବାରୁ ଲୋକନାଥ ରାସ୍ତାରେ ଛିଟିକି ପଡ଼ିଥିଲେ। ସେ ଉକ୍ତ ପିକ୍ ଅପ୍ ବୋଲେରୋ ମଝିରେ ଥିବା ଏକ ଲୁହାରେ ଲାଖି ଯାଇଥିଲେ।

ଚଳନ୍ତା ବୋଲେରୋ ତାଙ୍କୁ ୨ କିମି ଦୂରକୁ ଘୋଷାରି ନେଇଥିଲା। ଏକଥା ଜାଣିବା ପରେ ବି ଲୋକନାଥଙ୍କୁ ଡାକ୍ତରଖାନା ନେବା ବଦଳରେ ରାସ୍ତାରେ ଫିଙ୍ଗି ଡ୍ରାଇଭର ଫେରାର ହୋଇଯାଇଥିଲା। ଏହି ମାମଲାରେ ଚୌଦ୍ବାର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଚୌଦ୍ବାର ଓଟିଏମ୍ କଲୋନିର ଗାଡ଼ି ମାଲିକ ସୁମନ୍ତ ନାୟକ(୩୮) ଏବଂ ଦୁର୍ଗା ବଜାରର ଗାଡ଼ି ଡ୍ରାଇଭର ଗୁଡ଼ୁ ଓରଫ ମଞ୍ଜିତ ସାହୁ(୨୧)। ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା ପିକ ଅପ୍ ବୋଲେରୋ(ଓଡି ୦୫ ଏଏକ୍ସ ୮୦୪୬)କୁ ପୁଲିସ ଜବତ କରିଛି।
ଚୌଦ୍ବାର ଦୁର୍ଗା ବଜାର ଓଟିଏମ୍ ଅଞ୍ଚଳର ଲୋକନାଥ ବିଶ୍ବାଳ ଏକ ଅଟୋ(ଓଡି ୦୫ୟୁ ୨୨୪୦)ରେ ମାର୍ବଲ ବୋଝେଇ କରି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଆଡ଼କୁ ଗଲା ମେ ୩୧ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ଯାଉଥିଲେ। ରାତି ପ୍ରାୟ ୧୦ଟା ବେଳେ ସେ ପରିବାର ସହିତ ଫୋନରେ କଥା ହୋଇଥିଲେ। କିନ୍ତୁ ତା ପରଠାରୁ ଆଉ ଯୋଗାଯୋଗ ସମ୍ଭବପର ହୋଇପାରି ନଥିଲା। ତାଙ୍କୁ ରାତିରେ ପରିବାର ସଦସ୍ୟ ଖୋଜାଖୋଜି କଲା ପରେ ଜଗତପୁର ବିରୂପା ବ୍ରିଜ ନିକଟ ଆଦିଶ ହୋଟେଲ୍ ନିକଟରେ ତାଙ୍କ ଅଟୋ ଠାବ ହୋଇଥିଲା। ଅଟୋର ସାମନା ଓ ପଛପଟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଜଗତପୁର ଥାନା ପୁଲିସ ଖବର ପାଇ ଅଟୋକୁ ଥାନାକୁ ନେଇଥିଲେ। ସେଦିନ ରାତି ସାରା ଲୋକନାଥଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳି ନଥିଲା। ଜୁନ ୧ ତାରିଖ ସକାଳେ ଚୌଦ୍ବାର ଚାଉଳିଆ ବ୍ରିଜ ନିକଟରେ ଲୋକନାଥଙ୍କ କ୍ଷତବିକ୍ଷତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡ, ଗୋଡ଼, ଅଣ୍ଟା ଏବଂ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ଟାୟାର ଚିହ୍ନ ପୁଲିସ ଠାବ କରିଥିଲା। ଚୌଦ୍ବାର ଥାନା ପୁଲିସ ଏହି ହତ୍ୟା ମାମଲା ରୁଜୁ କରିଥିଲା।
ଚୌଦ୍ବାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରିଥିଲେ।

ପୁଲିସ ଏହି ଘଟଣାର ତଦନ୍ତ କରି କଟକ-ମଙ୍ଗୁଳି ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମହିନ୍ଦ୍ରା ପିକ୍ ଅପ୍ ଭ୍ୟାନର ସାମନା ପଟ ଗ୍ରିଲ ପଡ଼ିଥିବାରୁ ତାକୁ ସ୍କାନରକୁ ଆଣିଥିଲା। ପୁଲିସ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଏହି ପିକ୍ ଅପ୍ ଭ୍ୟାନ(ଓଡି ୦୫ ଏଏକ୍ସ ୮୦୪୬)ର ପିଛା କରିଥିଲା। ପୁଲିସ ଗାଡ଼ି ମାଲିକ ସୁମନ୍ତ ନାୟକଙ୍କୁ ଠାବ କରିଥିଲା। ତାଙ୍କର ଏହି ପିକ୍ ଅପ୍ ସମେତ ଅନ୍ୟ ଏକ ଅଶୋକ ଲେଲ୍ୟାଣ୍ଡ ଗାଡ଼ି(ଓଡି ୦୫ ଏଜେ ୯୭୭୩) ଦୁର୍ଗା ବଜାର ମୁସଲିମ ସାହିର ଗେଲହା ଓରଫ ମୁସ୍ତାକ୍ ଖାଁଙ୍କ ପାଇଁ ଅଣ୍ଡା ବୋହିବା କାମରେ ନିୟୋଜିତ ହୋଇଥିଲା। ଖୋର୍ଧାରେ ଥିବା ଅନୁରାଧା ହାଚେରିରୁ ଅଣ୍ଡା ଚାଲାଣ ହୁଏ। ଗଲା ୩୧ ତାରିଖରେ ବି ସୁମନ୍ତଙ୍କ ଏହି ଦୁଇଟି ଗାଡ଼ି ଧରି ଖୋର୍ଧାରୁ ଚୌଦ୍ବାର ଦୁର୍ଗା ବଜାର ଯାଇଥିଲା। ପିକ୍ ଅପ୍ ବୋଲେରୋକୁ ଗୁଡ଼ୁ ଓରଫ ମଞ୍ଜିତ ସାହୁ ଏବଂ ଅଶୋକ ଲେଲ୍ୟାଣ୍ଡକୁ ନିଜେ ଗାଡ଼ି ମାଲିକ ସୁମନ୍ତ ଚଲାଉଥିଲେ। ମଞ୍ଜିତ ବିରୂପା ଓଭର ବ୍ରିଜ ନିକଟରେ ଲୋକନାଥଙ୍କ ଅଟୋକୁ ପଛପଟୁ ଧକ୍କା ଦେଇଥିଲା। ଏହି ଘଟଣା ରାତି ୧୦ଟା ୨୦ରେ ଘଟିଥିଲା। ଲୋକନାଥ ଗାଡ଼ି ସହିତ ରାସ୍ତାରେ ଛିଟିକି ପଡ଼ିଥିଲେ। ଚଳନ୍ତା ପିକ୍ ଅପ୍ ବୋଲେରୋ ଗାଡ଼ି ତଳେ ଫସି ଯିବାରୁ ସେ ଲାଖି ରହିଥିଲେ। ମଞ୍ଜିତ ୨ କିମି ଦୂର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ଲୋକନାଥଙ୍କୁ ଘୋଷାରି ନେଇଥିଲେ। ତାଙ୍କ ପଛରେ ମାଲିକ ସୁମନ୍ତ ଗାଡ଼ି ଧରି ଆସୁଥିଲେ। ଦୁର୍ଘଟଣା ସମ୍ପର୍କରେ ଜାଣିପାରି ଗାଡ଼ି ଡ୍ରାଇଭରଙ୍କୁ ଫୋନ୍ କରିଥିଲେ। ସେତେବେଳକୁ ମଞ୍ଜିତ ମଙ୍ଗୁଳିରୁ ଚୌଦ୍ବାର ଆଡ଼କୁ ଯାଇ ଚାଉଳିଆ ବ୍ରିଜ ନିକଟରେ ପହଞ୍ଚି ସାରିଥିଲେ। ମାଲିକଙ୍କ ପରାମର୍ଶକ୍ରମେ ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେବା ବଦଳରେ ରାସ୍ତା ପାର୍ଶ୍ବରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ପୁଲିସ ଉଭୟଙ୍କ ବୟାନ ରେକର୍ଡ କରିଛି। ଆରମ୍ଭରୁ ଯେହେତୁ ଲୋକନାଥଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ ହତ୍ୟା ଅଭିଯୋଗ କରିଥିଲେ, ତେଣୁ ପୁଲିସ ଲୋକନାଥଙ୍କ ଶରୀରରେ ଥିବା କ୍ଷତ ଚିହ୍ନ ସମ୍ପର୍କରେ ବଡ଼ ଡାକ୍ତରଖାନାର ଡାକ୍ତରଙ୍କ ସହିତ ଆଲୋଚନା କରିଥିଲା। ଏଭଳି କ୍ଷତ ଚିହ୍ନ ଦୁର୍ଘଟଣା ନା ହତ୍ୟା ଯୋଗୁଁ ହୋଇଛି, ସେ ନେଇ ମତାମତ ଲୋଡ଼ା ଯାଇଥିଲା। ଦୁର୍ଘଟଣା ଯୋଗୁଁ ଏଭଳି ହୋଇଥିବା ଡାକ୍ତର ବି ମତ ରଖିଛନ୍ତି ବୋଲି ଏଡିସିପି ପ୍ରମୋଦ ରଥ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.