ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ ଠାକରେଙ୍କ ଉପରେ ସବୁ କିଛି ଛାଡ଼ିଲେ ଶରଦ ପାୱାର

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର ଉପରେ କଳା ବାଦଲ ଘୋଟେଇ ଆସିଛି। ଏକନାଥଙ୍କ ସହ ୨୦ରୁ ଅଧିକ ବିଧାୟକ ଥିବାରୁ ମହା ବିକାଶ ଅଘାଡ଼ି ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ମେଣ୍ଟ ସରକାରରେ ଥିବା ଏନସିପିର ସୁପ୍ରିମୋ ଶରଦ ପାୱାର। ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ତୃତୀୟ ଥର ଉଦ୍ୟମ କରାଯାଇଛି। ସେହିପରି ପୂରା ବିବାଦ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର। ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତିକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିପାରିବେ ବୋଲି ଶରଦ ପାୱାର କହିଛନ୍ତି।
ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେବା ପଛର ମୁଖ୍ୟ ନାୟକ ସାଜିଥିବା ଶରଦ ପାୱାର କହିଛନ୍ତି, ଏମଭିଏ ସରକାର ପୂରା ୫ ବର୍ଷ କାମ କରିବ। ଏନସିପି କେବେ ହେଲେ ବିଜେପି ସହ ମିଶିବ ନାହିଁ। ମେଣ୍ଟ ସରକାରରେ କୌଣସି ମତ ପାର୍ଥକ୍ୟ ନାହିଁ। ଆମର ଠାକରେଙ୍କ ନେତୃତ୍ୱ ଉପରେ ପୂରା ଭରସା ରହିଛି।
ଏହା ଶିବସେନାର ଗୋଟିଏ ଆଭ୍ୟନ୍ତରୀଣ ବ୍ୟାପାର। ସେମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ସ୍ଥିତିର ସମୀକ୍ଷା କରିବା ପରେ ସେମାନେ ଆମକୁ କହିବେ। ଏନସିପି ସବୁବେଳେ ଶିବସେନାକୁ ସମର୍ଥନ କରିବ। ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ସେ କେବେ ହେଲେ ଶୁଣି ନଥିଲେ ବୋଲି ମଧ୍ୟ ଶରଦ ପାୱାର କହିଛନ୍ତି।
ସେ ଆହୁରି କହିଛନ୍ତି, “ଗତ ୨ରୁ ଅଢ଼େଇ ବର୍ଷ ମଧ୍ୟରେ ସରକାରକୁ ଭାଙ୍ଗିବା ପାଇଁ ଏହା ୩ୟ ଉଦ୍ୟମ। ପୂର୍ବରୁ ୨ ଥର ଆମ ବିଧାୟକମାନଙ୍କୁ ଉଠାଇ ନେବାକୁ ଚେଷ୍ଟା ହୋଇଥିଲା। ଆମ ବିଧାୟକମାନଙ୍କୁ ଗତଥର ହରିଆଣା ଓ ଗୁରୁଗ୍ରାମରେ ରଖାଯାଇଥିଲା। ସେମାନେ ସେଠାରୁ ଖସି ଆସିଥିଲେ। ଏହାପରେ ଉଦ୍ଧବ ଠାକରେଙ୍କ ସରକାର ଅଧିକ ଶକ୍ତିଶାଳୀ ହୋଇଥିଲା।
ବିଦ୍ରୋହକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଖୋଲା ଚେତାବନୀ ଦେଇଉନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, ଇଡି ଭୟରେ ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିଛନ୍ତି। ଅନେକ ବିଧାୟକଙ୍କୁ ବଳପୂର୍ବକୁ ନିଆଯାଇଥିବା ସେମାନେ ଆମକୁ କହିଛନ୍ତି। ଗୁଜରାଟ ପୁଲିସ ଆମକ ବିଧାୟକମାନଙ୍କୁ ପଣବନ୍ଦୀ କରି ରଖିଛି। ମହାରାଷ୍ଟ୍ର ପୁଲିସ୍‌କୁ ଯଦି ସୁଯୋଗ ମିଳିବ, ତା’ହେଲେ ସେମାନେ ସମସ୍ତଙ୍କୁ ଏଠାକୁ ଆଣି ପାରିବେ।
ଏହି ସମୟରେ ଯେଉଁ ମନ୍ତ୍ରୀ ଓ ବିଧାୟକମାନେ ଏକନାଥ ସିନ୍ଧେଙ୍କ ସମର୍ଥନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛୁ। ଏମଭିଏରେ ଥିବା ସବୁ ଦଳ ଏକାଠି ଅଛନ୍ତି। ଆମେ ଆଜି ରାତିରେ ବୈଠକ କରିବୁ। ଏକନାଥଙ୍କ ସହ ୨୭ ନୁହେଁ ୧୭ରୁ ୧୮ ଜଣ ବିଧାୟକ ରହିଛନ୍ତି। ଆମେ ବିଜେପି ପାଖକୁ ଯିବାର ନାହିଁ।”

nis-ad
Leave A Reply

Your email address will not be published.