ସଙ୍କଟରେ ଉଦ୍ଧବ ସରକାର 

ମୁମ୍ବାଇ: ବରିଷ୍ଠ ଶିବସେନା ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାରଙ୍କ ସମସ୍ୟା ବଢ଼ିଛି। ଶ୍ରୀ ସିନ୍ଧେ ପ୍ରାୟ ୨୧ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି ଶାସିତ ଗୁଜରାଟର ସୁରତରେ ଥିବା ଗୋଟିଏ ହୋଟେଲରେ ରହିଛନ୍ତି। ଏହାକୁ ନେଇ ବାଦ ବିବାଦ ଚାଲିଥିବା ବେଳେ ମହାରାଷ୍ଟ୍ର ବିଧାନସଭାରରେ କାହାର କେତେ ଶକ୍ତି ରହିଛି, ତା’ ଉପରେ ଆସନ୍ତୁ ନଜର ପକାଇବା। ବିଧାୟକଙ୍କ ବିଦ୍ରୋହ ଘୋଷଣା ସତ୍ତ୍ୱେ କ’ଣ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ?
୧-ମହାରାଷ୍ଟ୍ରର ବିଧାନସଭା ଆସନ ସଂଖ୍ୟା ୨୮୮। ଜଣେ ବିଧାୟକ ପ୍ରାଣ ହରାଇଥିବାରୁ ଏବେ ଏହା ୨୮୭ ହୋଇ ଯାଇଛି। ଏହାର ଅର୍ଥ ଆସ୍ଥା ଭୋଟରେ ଜିତିବା ପାଇଁ ହେଲେ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
୨-ଶବିସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ପାଖରେ ଏବେ ୧୫୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।
୩-ଶବିସେନାର ମୋଟ ବିଧାୟକଙ୍କ ସଂଖ୍ୟା ୫୫। ଏମାନଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟ ଓ ଜଣେ ସ୍ୱାଧୀନ ବିଧାୟକ ସୁରତର ହୋଟେଲରେ ଥିବା କୁହାଯାଉଛି। ଯଦି ଏକନାଥ ସିନ୍ଧେଙ୍କ କଥାରେ ଏହି ବିଧାୟକମାନେ ଇସ୍ତଫା ଦିଅନ୍ତି, ତା’ହେଲେ ଶବିସେନାର ସଂଖ୍ୟା ୩୪କୁ ଖସି ଆସିବ।
୪-ଏଥିଯୋଗୁ ମହା ବିକାଶ ଅଘାଡ଼ି ସରକାରଙ୍କ ସପକ୍ଷରେ ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ ୧୩୧କୁ ଖସିବ। ଯଦି ଏକନାଥଙ୍କ ଟିମ୍‌ର ୨୨ ଜଣ ବିଧାୟକ ଇସ୍ତଫା ଦେଇଦେବେ, ତା’ହେଲେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମଧ୍ୟ ୧୩୩କୁ ଖସି ଆସିବ।
୫- ବିଜେପି ପାଖରେ ୧୦୫ ବିଧାୟକ ରହିଛନ୍ତି। ହେଲେ ବିଜେପି କହିଛି ଯେ ତା’ ପାଖରେ ୧୩୫ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ବିଜେପି କେଉଁଠୁ ପାଇଲା, ସେକଥା ଜଣାପଡ଼ିନି।
୬-ଯଦି ଶିବସେନାର ୨୧ ଜଣ ବିଧାୟକ ଦଳ ବଦଳ କରନ୍ତି, ତା’ହେଲେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ଏପରି ସ୍ଥିତିରେ ସମସ୍ତଙ୍କୁ ଇସ୍ତଫା ଦେଇ ଉପ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବ।
୭- ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫, ଏନସିପି ୫୩, କଂଗ୍ରେସ ୪୪, ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ଦଳ ୧୬ ଟି ଆସନରେ ଜିତିଥିଲେ।

nis-ad
Leave A Reply

Your email address will not be published.