ଯଶୱନ୍ତ ସିହ୍ନା ହେଲେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଘନଘନ ବୈଠକ ଓ ମାନସମନ୍ଥନ ପରେ ଶେଷରେ ବିରୋଧୀ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ହୋଇଛନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏନସିପି ସୁପ୍ରିମୋ ଶରଦ ପାୱାର ଓ ସିପିଆଇଏମ ନେତା ସୀତୀରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଉପ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେହିପରି ୮୪ ବର୍ଷୀୟ ସିହ୍ନା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ବିରୋଧୀ ମେଣ୍ଟ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଜଣାପଡ଼ିଛି।
କଂଗ୍ରେସର କମ୍ୟୁନିକେସନ ମୁଖ୍ୟ ଜୟ ରାମ ରମେଶ କହିଛନ୍ତି, “ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଆମେ(ବିରୋଧୀ) ଏକାଠି ଜଣେ ପ୍ରାର୍ଥୀଙ୍କୁ ଚୟନ କରିଛୁ। ମୋଦି ସରକାର କରି ଚାଲିଥିବା ଧ୍ୱଂସଲୀଳାକୁ ବନ୍ଦ କରିବା ପାଇଁ ଏପରି ନିଷ୍ପତ୍ତି ହୋଇଛି। ଏହି ପ୍ରସଙ୍ଗରେ ଆଜି ଗୋଟିଏ ମିଳିତ ବୈଠକ ହୋଇଥିଲା। ସର୍ବସମ୍ମତିକ୍ରମେ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟର ପ୍ରାର୍ଥୀ କରାଯାଇଛି।”
ବିରୋଧୀ ମେଣ୍ଟ ପକ୍ଷରୁ ଜାରି ବିବୃତିରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ସିହ୍ନାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଦେଶ ଜଣେ ମୂଲ୍ୟବାନ ରାଷ୍ଟ୍ରପତିଙ୍କୁ ନିର୍ନ୍ଦ୍ୱନ୍ଦ୍ୱରେ ପାଇପାରିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।
ଶ୍ରୀ ସିହ୍ନା ଜଣେ ଆଇଏଏସ୍‌ ଅଫିସର ଥିଲେ। ସେ ୧୯୮୪ରେ ପ୍ରଶାସନିକ କାର୍ଯ୍ୟ ଛାଡ଼ି ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ଜନତା ଦଳ ସହ ମିଶି ନିଜର ଅଭିଯାନ ଆରମ୍ଭ କରିଥିଲେ। ୧୯୯୦ରୁ ୯୧ ଯାଏ ଚନ୍ଦ୍ର ଶେଖରଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଶ୍ରୀ ସିହ୍ନା ଅର୍ଥମନ୍ତ୍ରୀ ଭାବେ କାମ କରିଥିଲେ। ଏହାପରେ ୧୯୯୮ରୁ ୨୦୦୨ ଜୁଲାଇ ଯାଏ ସେ ବାଜପେୟୀଙ୍କ ସରକାରରେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ୨୦୦୨ରୁ ୨୦୦୪ ଯାଏ ତାଙ୍କୁ ବାଜେପୟୀ ସରକାର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।
୧୯୯୬ରେ ସେ ବିଜେପିର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୮, ୧୯୯୯ ଓ ୨୦୦୯ରେ ଶ୍ରୀ ସିହ୍ନ ହଜାରିବାଗରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ସହ ୨୦୧୮ ମସିହାରେ ସଂପର୍କ ଛିନ୍ନ କରି ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ୨୦୨୧ ମସିହା ମାର୍ଚ୍ଚ ୧୩ରେ ସେ ଟିଏମସିରେ ଯୋଗ ଦେଇଥିଲେ। ଏହାର ୨ ଦିନ ପରେ ସେ ଟିଏମସିର ଉପ ସଭାପତି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବଡ଼ ପୁଅ ଜୟନ୍ତ ସିହ୍ନା ଏବେ ବିଜେପିର ଲୋକସଭା ସଦସ୍ୟ ରହିଛନ୍ତି। ତାଙ୍କର ସାନ ପୁଅ ସୁମନ୍ତ ସିହ୍ନା ଜଣେ ଜଣାଶୁଣା ବ୍ୟବସାୟୀ।

nis-ad
Leave A Reply

Your email address will not be published.